ଭାରତ-ଅଷ୍ଟ୍ରେଲିଆ ଶେଷ ଟି୨୦ : ଏହି ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ କହିଲେ ସେହ୍ୱାଗ
8/12/2020 at 9:26 AM

ସିଡନୀ,୦୮/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ଶେଷ ଟି୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ୨-୦ରେ ସିରିଜକୁ ଆଗୁଆ କବଜା କରିନେଇଛି । ଏହାମଧ୍ୟରେ ଭାରତ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ରହିବ । ଏହି ମ୍ୟାଚରେ ଦଳ କିଛି ପରିବର୍ତ୍ତନ କରିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହାମଧ୍ୟରେ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ୱାଗ ଚୂଡାନ୍ତ ଏକାଦଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ସେହ୍ୱାଗ କହିଛନ୍ତି ଯେ, ଚୂଡାନ୍ତ ଏକାଦଶରେ କୌଣସି ବଡ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ । କେବଳ ସ଼ଞ୍ଜୁ ସାମସନଙ୍କ ବଦଳରେ ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିବା ଉଚିତ । ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ସଞ୍ଜୁ ଏବେସୁଦ୍ଧା ସିରିଜରେ ସେପରି ଖାସ୍ ପ୍ରଦର୍ଶନ କରିପାରି ନାହାଁନ୍ତି । ବିରାଟ କୋହଲି ଜାଣିଛନ୍ତି କଣ କରିବାକୁ ହେବ । ବିରାଟ ମନୀଷଙ୍କୁ ସୁଯୋଗ ଦେବା ଆବଶ୍ୟକ ।

ସୂଚନାଯୋଗ୍ୟ, ମନୀଷ ପାଣ୍ଡଙ୍କୁ କାନବେରାରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ସୁଯୋଗ ମିଳିଥିଲା । ସେ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ । ୨୦୧୬ରେ ସେ ସିଡନୀ ଗ୍ରାଉଣ୍ଡରେ ୧୦୪ ରନର ଇନିଂସ ଖେଳିଥିଲେ । ସେ ଏବେସୁଦ୍ଧା ୩୯ଟି ଟି୨୦ ମ୍ୟାଚରେ ୭୦୯ ରନ୍ କରିଛନ୍ତି । ଏଥିରେ ୨ଟି ଅର୍ଧଶତକ ରହିଛି ।
ସେହିପରି ସାମସନ୍ କାନବେରାରେ ୨୩ ରନ୍ କରିଥିଲେ । ସେହିପରି ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ସେ ୧୫ ରନ୍ କରି ଆଉଟ ହୋଇଥିଲେ ।