ଅନଲାଇନ୍ କ୍ଲାସ୍ ପାଇଁ ପ୍ରତିଦିନ ପାହାଡ ଚଢୁଥିବା ପିଲାଟିର କଷ୍ଟ ଦେଖି ତରଳିଗଲା ସେହ୍ୱାଗଙ୍କ ମନ, ବଢାଇଲେ ସହାୟତାର ହାତ

Published By : Prameya-News7 Bureau | July 24, 2020 IST

ଜୟପୁର, ୨୪|୦୭: ଅନଲାଇନ୍ କ୍ଲାସ୍ କରିବା ପାଇଁ ଜଣେ ଛାତ୍ର ୨ କିଲୋମିଟର ଦୂର ପାହାଡ ଉପରେ ଚଢୁଥିଲେ । ସକାଳ ୮ଟାରୁ ସେ ପାହାଡକୁ ଚଢିବାକୁ ଯାଉଥିଲେ । ସେଠାରେ ସେ ଟେବୁଲ ଓ ଚେୟାର ପକାଇ ଦିନ ୧ଟା ଯାଏଁ ପାଟ ପଢୁଥିଲେ । କାରଣ ତାଙ୍କ ଘରେ ନେଟଓ୍ୱର୍କ ଆସୁନଥିଲା । ତେବେ ଛାତ୍ରଙ୍କର ପାଟପଢିବାର ଏହି ଇଚ୍ଛାକୁ ଦେଖି ବିରେନ୍ଦ୍ର ସେହ୍ୱାଗ ସାହାଯ୍ୟର ହାତ ବଢାଇଛନ୍ତି ।

ସାରା ଦେଶରେ ଏବେ କରୋନାର ଆତଙ୍କ ଜାରି ରହିଛି । ସ୍କୁଲ-କଲେଜ ବନ୍ଦ ରହିଛି । ଏହାମଧ୍ୟରେ ଅନଲାଇନ୍ କ୍ଲାସର ଗୁରୁତ୍ୱ ବଢିଯାଇଛି । ତେବେ ଗ୍ରାମାଞ୍ଚଳରେ ଏହି ଅନଲାଇନ୍ ପାଠପଢା ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସୂଚନାନୁସାରେ, ରାଜସ୍ଥାନର ବାଡମେର ଜିଲ୍ଲାରେ ରହୁଥିବା ହରୀଶ ଜିଲ୍ଲା ମୁଖ୍ୟାଳୟଠୁ ୨୦କିମି ଦୂରରେ ଏକ ଗ୍ରାମରେ ରୁହନ୍ତି । ତାଙ୍କ ଗ୍ରାମରେ କୌଣସି ନେଟଓ୍ୱର୍କ ଆସେନାହିଁ । ତେଣୁ ସେ ଗ୍ରାମଠୁ ୨ କିମି ଦୂରରେ ଥିବା ପାହାଡ ଉପରକୁ ଯାଇଥାନ୍ତି । ସେଠାରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ଅନଲାଇନ୍ କ୍ଲାସ୍ କରନ୍ତି ।

ହରିଶ ହେଉଛନ୍ତି ଦରୁଡା ପଚପଦରା ସ୍ଥିତ ନବୋଦୟ ସ୍କୁଲର ଛାତ୍ର । କରୋନା-୧୯ ପାଇଁ ସ୍କୁଲ ବନ୍ଦ ରହିଛି । ଏକ ମାସରୁ ଅଧିକ ଦିନ ଧରି ଅନଲାଇନ୍ କ୍ଲାସ୍ ଜାରି ରହିଛି । ହରିଶ ଯେତେବେଳେ ନେଟ୍ ଅନ୍ କରିଥିଲେ ତାଙ୍କର ନେଟଓ୍ୱର୍କ ଆସିନଥିଲା । ତେବେ ତାଙ୍କର ପାଠପଢିବାକୁ ବହୁତ ଇଚ୍ଛା ଥିଲା । ତେଣୁ ସେ କଷ୍ଟ ହେଲେ ମଧ୍ୟ ନେଟଓ୍ୱର୍କ ପାଇଁ ପାହାଡ ଚଢୁଥିଲେ ।

ହରିଶଙ୍କ ଏହି ମନୋବଳ ଦେଖି ସେହ୍ୱାଗ ଟ୍ୱିଟ୍ କରିବା ସହ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.