‘ଦିନିକିଆ ଏବଂ ଟେଷ୍ଟରେ ଅଧିନାୟକ ପଦ ନଛାଡନ୍ତୁ ବିରାଟ କୋହଲି’ : ପୂର୍ବତନ ଭାରତୀୟ ଖେଳାଳିଙ୍କ ବଡ ବୟାନ

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯/୧୧ : ଟ୍ବେଣ୍ଟି ଟେଣ୍ଟି ବିଶ୍ବକପ ୨୦୨୧ରେ ଟିମ ଇଣ୍ଡିଆ ତାର ଅଭିଯାନ ଶେଷ କରିଛି । ଏହା ସହିତ ଭାରତୀୟ ଟିମରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ବିରାଟ କୋହଲି ଆଉ ଟି ୨୦ ଫର୍ମାଟରେ ଅଧିନାୟକ ଭାର ସମ୍ଭାଳିବେନି । ଏହି ଫଟାଫଟ୍‌ କ୍ରିକେଟରେ ଭାରତକୁ ମିଳିବାକୁ ଯାଉଛନ୍ତି ନୂଆ କ୍ୟାପଟେନ୍‌ । ତେବେ ବର୍ତ୍ତମାନ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି ଯେ, ବିରାଟ କୋହଲି ଟି-୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ଅଧିନାୟକ ରହିବେ କିମ୍ବା ତାଙ୍କ ଠାରୁ ଅଧିନାୟକ ଭାର କାଢି ନିଆଯିବ ।

ଏ ନେଇ ଭାରତୀୟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହଓ୍ବାଗ କହିଛନ୍ତି, କୋହଲି ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର କ୍ୟାପଟେନ୍‌ସିପ୍‌ ଛାଡିବା ଠିକ୍‌ କିନ୍ତୁ ଦିନିକିଆ ଏବଂ ଟେଷ୍ଟରେ ସେ ପୂର୍ବତନ ଭଳି ରହିବା ଉଚିତ । ଆଉ କିଛି ଦିନ ପାଇଁ ଉଭୟ ଫର୍ମାଟରେ ସେ ଅଧିନାୟକ ଭାବେ ଭାରତୀୟ ଟିମକୁ ବହୁତ ଆଗକୁ ନେଇପାରିବେ । ଅଧିନାୟକ ଭାବେ ତାଙ୍କ ରେକର୍ଡ ବେଶ ଚମତ୍କାର ରହିଛି । ଭାରତୀୟ ଦଳର ଖେଳାଳିମାନେ ମଧ୍ୟ କୋହଲିଙ୍କ ନେତୃତ୍ବରେ ଖୁବ ଭଲ ଖେଳି ଆଗକୁ ଯାଇଛନ୍ତି । ସେହଓ୍ବାଗ କହିଛନ୍ତି, କୋହଲି ଜଣେ ଚମତ୍କାର ଖେଳାଳି, ଆକ୍ରମକ ବ୍ୟାଟସ୍‌ମ୍ୟାନ୍‌ ଏବଂ ସଫଳ ଅଧିନାୟକ ।

ସୂଚନାଯୋଗ୍ୟ, ବିରାଟ କୋହଲି ଟି ୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ଦିନଠାରୁ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ଏବେ ହ୍ବାଇଟ୍‌ ବଲ ଏବଂ ରେଡ୍‌ ବଲ ପାଇଁ ଅଲଗା ଅଧିନାୟକ ବାଛିପାରେ ବିସିସିଆଇ । ଅର୍ଥାତ ଟେଷ୍ଟ ପାଇଁ ଜଣେ ଅଧିନାୟକ ଏବଂ ଦିନିକିଆ ଓ ଟ୍ବେଣ୍ଟି ଟ୍ବେଣ୍ଟି ପାଇଁ ଆଉ ଜଣେ ଅଧିନାୟକ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, କୋହଲିଙ୍କ ପରେ ରୋହିତ ଶର୍ମା ଟି-୨୦ ଫର୍ମାଟର ଅଧିନାୟକ ହେବେ । କାରଣ ଦଳରେ ରୋହିତ ଶର୍ମା ଜଣେ ବରିଷ୍ଠ ଖେଳାଳି ତା ସହିତ ଅଭିଜ୍ଞ ମଧ୍ୟ । ଆଇପିଏଲରେ ଅଧିନାୟକ ଭାବେ ସେ ତାଙ୍କର ଜଲଓ୍ବା ଦେଖାଇସାରିଛନ୍ତି ।

ଆସନ୍ତା ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ସିରିଜ । ଦଳର ହେଡ୍‌ କୋଚ୍ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ନୂଆ ଇନିଂସ ଆରମ୍ଭ କରିବେ ରାହୁଲ ଦ୍ରାବିଡ । ଏହା ସହିତ ଟିମ ଇଣ୍ଡିଆର ନୂଆ ଅଧିନାୟକ ନାଁ ମଧ୍ୟ ଘୋଷଣା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.