ବୀରେନ୍ଦ୍ର ସେହ୍ଵାଗଙ୍କ ୩୫ ବଲ୍‌ରୁ ୮୦ ରନ, ବାଂଲାଦେଶକୁ ୧୦ ଓ୍ଵିକେଟ୍‌ରେ ହରାଇଲା ଭାରତ

Published By : Prameya-News7 Bureau | March 05, 2021 IST

ରାୟପୁର ୦୫।୦୩: ରୋଡ୍ ସେଫ୍‌ଟି ଓ୍ଵାର୍ଲ୍ଡ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ ବାଂଲାଦେଶ ଲିଜେଣ୍ଡ୍ସକୁ ଏକତରଫା ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି। ବାଂଲାଦେଶ ଦ୍ଵାରା ଧାର୍ଯ୍ୟ ୧୧୦ ରନର ଲକ୍ଷ୍ୟକୁ ପିଛା କରି  ଭାରତ ବିନା ଓ୍ଵିକେଟ୍‌ରେ ମାତ୍ର ୧୦.୧ ଓଭରରେ ହାସଲ କରିଛି। ଭାରତର ବିଜୟରେ ହିରୋ ସାଜିଥିବା ବୀରେନ୍ଦ୍ର ସେହ୍ଵାଗ ୩୫ ବଲରୁ ୮୦ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଛନ୍ତି।

ବୀରେନ୍ଦ୍ର ସେହ୍ଵାଗ ଓ ସଚିନ ତେନ୍ଦୁଲକରଙ୍କ ଯୋଡି ପଡିଆକୁ ଓହ୍ଲାଇବା ମାତ୍ରେ ପୂରା ରାୟପୁର ଷ୍ଟାଡିୟମ ଦର୍ଶକଙ୍କ ସ୍ଵର ଏବଂ କରତାଳିରେ ଗୁଞ୍ଜି ଉଠିଥିଲା। ସେହ୍ଵାଗ ବାଂଲାଦେଶର ଅଧିନାୟକ ମହମ୍ମଦ ରଫିକଙ୍କ ପ୍ରଥମ ବଲ୍‌ରେ ଚୌକା ମାରି ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓଭରରେ ହିଁ ସେ ୧୯ ରନ ସଂଗ୍ରହ କରିଥିଲେ। ତୃତୀୟ ଓଭରରେ ସଚିନଙ୍କ ବ୍ୟାଟରୁ ୨ଟି ଚୌକା ଆସିଥିଲା। ଦୁଇ ବ୍ୟାଟସମ୍ୟାନ ପାଓ୍ଵାର ପ୍ଲେରେ ୭୪ ରନ ଯୋଡିଥିଲେ। ଏହି କ୍ରମରେ ସେହ୍ଵାଗ ୨୦ ବଲ୍‌ରୁ ଅର୍ଦ୍ଧଶତକ  ହାସଲ କରିଥିଲେ। ସେହ୍ଵାଗ ଚୌକା ଓ ଛକା ବର୍ଷା କରି ୯ମ ଓଭରରେ ଭାରତର ସ୍କୋରକୁ ୧୦୦ ପହଞ୍ଚାଇଥିଲେ। ୧୧ତମ ଓଭରର ପ୍ରଥମ ବଲ୍‌ରେ ଛକା ମାରି ସେହ୍ଵାଗ ଭାରତକୁ ୧୦ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ଦୁଇ ଓପନର ୧୦.୧ ଓଭରରେ ୧୧୪ ରନ ଯୋଡି ଅପରାଜିତ ରହିଥିଲେ। ସେହ୍ଵାଗ ୩୫ ବଲରୁ ୧୦ ଚୌକା ଓ ୫ ଛକା ସହ ୮୦ ରନ ଏବଂ ସଚିନ ୨୬ ବଲ୍‌ରୁ ୫ ଚୌକା ସହ ୩୩ ରନ କରିଥିଲେ।

ସେହ୍ଵାଗ ଓ ସଚିନଙ୍କ ପୂର୍ବରୁ ଇଣ୍ଡିଆ ଲିଜେଣ୍ଡ୍ସର ସ୍ପିନର ବାଂଲାଦେଶ ବ୍ୟାଟିଂ ଲାଇନ୍‌ର ବିପର୍ଯ୍ୟୟ ଘଟାଇଥିଲେ। ଏକଦା ୮ ଓଭରରେ ୫୯ ରନ କରି ୧ ଓ୍ଵିକେଟ୍  ହରାଇଥିବା ବାଂଲାଦେଶ ଲିଜେଣ୍ଡ୍ସ ପ୍ରଜ୍ଞାନ ଓଝା ଓ ଯୁବରାଜ ସିଂହଙ୍କ ସ୍ପିନ  ବୋଲିଂର ମୁକାବିଲା କରିନପାରି ୧୯.୪ ଓଭରରେ ୧୦୯ ରନ କରିଥିଲା। ଓଝା, ଯୁବରାଜ ଓ ବିନୟ କୁମାର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ବାଂଲାଦେଶ ପକ୍ଷରୁ ନଜିମୁଦ୍ଦିନ ସର୍ବାଧିକ ୪୯ ରନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.