ଜାତୀୟ କ୍ରୀଡା ପୁରସ୍କାର: ଚୟନ କମିଟିରେ ସେହ୍ଵାଗ ଓ ସର୍ଦ୍ଦାର ସାମିଲ

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧।୦୭: କ୍ରୀଡା ମନ୍ତ୍ରଣାଳୟ ଜାତୀୟ କ୍ରୀଡା ପୁରସ୍କାର-୨୦୨୦ ପାଇଁ ଶୁକ୍ରବାର ଚୟନ ସମିତିର ଘୋଷଣା କରିଛି। କମିଟିରେ ପୂର୍ବତନ ଭାରତୀୟ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ ଓ ପୂର୍ବତନ ହକି ଅଧିନାୟକ ସର୍ଦ୍ଦାର ସିଂହଙ୍କୁ ସାମିଲ କରାଯାଇଛି। ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦମ ଶର୍ମା କମିଟିର ସଭାପତି ହେବେ।

କମିଟିର ସଦସ୍ୟଙ୍କ ମଧ୍ୟରେ ବୀରେନ୍ଦ୍ର ସେହ୍ଵାଗ(କ୍ରିକେଟ୍), ସର୍ଦ୍ଦାର ସିଂହ(ହକି), ମୋନାଲିସା ବରୁଆ ମେହଟ୍ଟା(ଟେବୁଲ ଟେନିସ), ଦୀପା ମଲିକ(ପାରା ଆଥଲେଟିକ୍ସ) ଓ ଭେଙ୍କଟେସନ ଦେବରାଜନ(ବକ୍ସିଂ) ସାମିଲ। ଏହା ବ୍ୟତୀତ ପ୍ରସିଦ୍ଧ କ୍ରୀଡା ଭାଷ୍ୟକାର ମନୀଷ ବଟାଭିଆ, କ୍ରୀଡା ସାମ୍ବାଦିକ ଆଲୋକ ସିହ୍ନା ଓ ନିରୁ ଭାଟିଆ ମଧ୍ୟ କମିଟିର ସଦସ୍ୟ ଅଛନ୍ତି।

କ୍ରୀଡା ମନ୍ତ୍ରଣାଳୟରୁ ଭାରତୀୟ କ୍ରୀଡା ପ୍ରାଧୀକରଣ(ସାଇ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, କ୍ରୀଡା ବିଭାଗର ଯୁଗ୍ମ ସଚିବ ଏଲଏସ ସିଂହ ଓ ଟାର୍ଗେଟ୍ ଅଲିମ୍ପିକ ପୋଡିୟମ ସ୍କିମର ସିଇଓ ରାଜେଶ ରାଜାଗୋପାଲନ ସମିତିରେ ରହିବେ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସଭାପତି ଦୁଇ ଜଣ ଅତିରିକ୍ତ ସଦସ୍ୟଙ୍କୁ ସାମିଲ କରି ପାରନ୍ତି। ଏହି ଦୁଇ ସଦସ୍ୟ ଦ୍ରୋଣାଚାର୍ଯ୍ୟ ଆଓ୍ଵାର୍ଡରେ ସମ୍ମାନିତ ହୋଇ ସାରିଛନ୍ତି।

ଏହି କମିଟି ରାଜୀବ ଗାନ୍ଧୀ  ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ଆଓ୍ଵାର୍ଡ, ଅର୍ଜୁନ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ କ୍ରୀଡା ପ୍ରୋତ୍ସାହନ ପୁରସ୍କାର ଓ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫିର ବିଜେତା ଚୟନ କରିବେ। ଅଗଷ୍ଟ ୨୯ରେ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ କ୍ରୀଡା ଦିବସ ଉପଲକ୍ଷେ ଏହି ପୁରସ୍କାର ପ୍ରଦାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.