ବିରାଟ କୋହଲି ଟିମ୍ ଇଣ୍ଡିଆର ଅଧିନାୟକ ରହିବେ କି ନାହିଁ, ୪ ମାସ ପରେ ଆସିବ ନିଷ୍ପତ୍ତି !

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୦୨।୦୭: ଭାରତୀୟ କ୍ରିକେଟ୍ ଦଳ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ଵରେ କ୍ରମାଗତ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ପରାଜିତ ହୋଇଛି। ଚାମ୍ପିଅନ୍ସ ଟ୍ରଫି ୨୦୧୭ର ଫାଇନାଲ୍, ବିଶ୍ଵ କପ୍ ୨୦୧୯ର ସେମି ଫାଇନାଲ୍ ଏବଂ ଏବେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ବିରାଟ କୋହଲିଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ନିକଟରେ ଦଳର ପରାଜୟକୁ ନେଇ ବିରାଟ କୋହଲିଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠିଛି। ଏବେ ପୂର୍ବତନ ଓ୍ଵିକେଟ୍ କିପର ସବା କରିମ ବିରାଟ କୋହଲିଙ୍କ ନେତୃତ୍ଵକୁ ନେଇ ବଡ ବୟାନ ଦେଇଛନ୍ତି। ସବା କରିମ ଏକ ନ୍ୟୁଜ୍ ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି ଯେ, ବିରାଟ କୋହଲିଙ୍କ ଉପରେ କ୍ରମାଗତ ଚାପ ବଢିବାରେ ଲାଗିଛି। ତାଙ୍କ ହାତରେ ଅଧିନାୟକ ଦାୟିତ୍ଵ ରହିବ କି ନାହିଁ ଏହା ଟି-୨୦ ବିଶ୍ଵ କପ ପରେ ଜଣା ପଡିବ।

ସବା କରିମଙ୍କ ଅନୁଯାୟୀ, ଯଦି ଭାରତୀୟ ଦଳ ଟି-୨୦ ବିଶ୍ଵ କପରେ ଚାମ୍ପିଅନ ହୁଏ ତେବେ କୋହଲିଙ୍କୁ କିଛି ଆଶ୍ଵସ୍ତି ମିଳିବ, ନଚେତ୍ ତାଙ୍କର ଅଧିନାୟକ ଆସନ ଟଳମଳ ହୋଇଯିବ। ଟି-୨୦ ବିଶ୍ଵ କପ୍ କୋହଲିଙ୍କ ଅଧିନାୟକ କ୍ୟାରିୟର ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ରହିଛି। କୋହଲିଙ୍କ ଉପରେ ଏଥିପାଇଁ ଚାପ ବଢିବାରେ ଲାଗିଛି, କାରଣ ତାଙ୍କ ନେତୃତ୍ଵରେ ଦଳ ଗୋଟିଏ ହେଲେ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିପାରି ନାହିଁ। ଯଦି ଟି-୨୦ ବିଶ୍ଵ କପରେ ଭାରତ ହାତରୁ ଟ୍ରଫି ଖସେ ତେବେ କୋହଲିଙ୍କୁ ନିଜର ଅଧିନାୟକ ପଦ ବଜାୟ ରଖିବା କଷ୍ଟକର ହୋଇଯିବ। ତେଣୁ ୟୁଏଇରେ  ହେବାକୁ ଥିବା ବିଶ୍ଵ କପରେ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ। ଏଥିସହ ଆଉ ଚାରି ମାସ ପରେ ଏହା ସ୍ପଷ୍ଟ ହୋଇ ଯିବ ଯେ, କୋହଲି ଭାରତୀୟ ଦଳର ଅଧିନାୟକ ରହିବେ କି ନାହିଁ। କାରଣ ବିଶ୍ଵ କପର ଫଳାଫଳ ଉପରେ ନିର୍ଭର କରେ ତାଙ୍କ ଅଧିନାୟକତ୍ଵ।

ସୂଚନାଯୋଗ୍ୟ, ଟି-୨୦ ବିଶ୍ଵ କପ୍ ୨୦୨୧ ଭାରତ ପରିବର୍ତ୍ତେ ୟୁଏଇ ଓ ଓମାନରେ ଖେଳାଯିବ। କରୋନା ମହାମାରୀ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ଭାରତରୁ ଏହି ଦୁଇ ଦେଶକୁ ସ୍ଥାନାନ୍ତର କରାଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୮ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ଏହାର ସମସ୍ତ ମ୍ୟାଚ୍ ଓମାନରେ ଖେଳାଯିବ। ଏଥିରୁ ୪ଟି ଦଳ ସୁପର ୧୨ରେ ପ୍ରବେଶ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.