ଅଧିନାୟକ ପଦରୁ ଇସ୍ତଫା ଦେବେ କୋହଲି, T-20 ବିଶ୍ୱକପ୍ ପରେ ରୋହିତ ହେବେ କ୍ୟାପଟେନ୍ !

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯: ଭାରତୀୟ କ୍ରିକେଟ୍ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଅଧିନାୟକ ପଦ ଛାଡିବେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଟି-20 ବିଶ୍ୱକପ ପରେ ଟି -20 ଏବଂ ODI ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦ ମିଳିପାରେ ।

ବିରାଟ କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ବଡ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି । ୩୨ ବର୍ଷୀୟ କୋହଲି ଟିମ୍ ଇଣ୍ଡିଆର ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ । ଅଷ୍ଟ୍ରେଲିଆ ଗସ୍ତ ପରେ ବିରାଟ କୋହଲି, ରୋହିତ ଶର୍ମା ଦଳ ପରିଚାଳନା ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଟି -20 ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବ ।

ବିରାଟ କୋହଲି ପିତା ହେବା ପରେ ବ୍ୟାଟିଂ ଉପରେ ଫୋକସ କରି ଏହି ପଦକ୍ଷେପ ନେଇପାରନ୍ତି । ସୂତ୍ରରୁ ପ୍ରକାଶ, 'ବିରାଟ ଏ ନେଇ ନିଜେ ଘୋଷଣା କରିବେ । ସେ ବିଶ୍ୱାସ କରନ୍ତି ଯେ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ଏବଂ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ତାଙ୍କ ପାଇଁ ଅତି ଜରୁରୀ । ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଟାଇଟଲ ଦେଇଛନ୍ତି । ଅନ୍ୟପକ୍ଷରେ କୋହଲି ଏପର୍ଯ୍ୟନ୍ତ ଅଧିନାୟକ ଭାବରେ ଆଇସିସି ଟ୍ରଫି ଜିତି ନାହାଁନ୍ତି ।

ଏହା ବ୍ୟତୀତ ସେ ଆଇପିଏଲ୍ ଟାଇଟଲ୍ ମଧ୍ୟ ଜିତିପାରିନଥିଲେ । ଆସନ୍ତା ମାସରୁ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଦଳର ପରାମର୍ଶଦାତା କରାଯାଇଛି । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ODI ବିଶ୍ୱକପ ଏବଂ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳିଛି । କିନ୍ତୁ ଗୋଟିଏ ହେଲେ ଟାଇଟଲ୍ ଜିତିନାହିଁ । ଏଭଳି ପରିସ୍ଥିତିରେ ଧୋନି ତାଙ୍କୁ ସାହାଯ୍ୟ କରିବା ପାଇଁ ଦଳରେ ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.