ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଖେଳାଳିଙ୍କୁ ଚେତାବନୀ ଦେଇଥିଲେ କୋହଲି, କହିଥିଲେ...

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ,୦୩/୦୪:   ଇଂଲଣ୍ଡର ବ୍ୟାଟସମ୍ୟାନ୍ ଓଲି ପୋପ୍ ଏକ ବଡ ଖୁଲାସା କରିଛନ୍ତି । ସେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ ଗୁମର ଖୋଲିଛନ୍ତି । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ କୋହଲି ଇଂଲଣ୍ଡ ଖେଳାଳିଙ୍କୁ ବ୍ୟାଟିଂ ଅନୁକୂଳ ପିଚ୍ ମିଳିବ ନାହିଁ ବୋଲି କହିଥିଲେ । ଫେବ୍ରୁଆରୀରେ ପ୍ରଥମ ମ୍ୟାଚ୍ ଜିତିବା ପରେ ଇଂଲଣ୍ଡ ଭାରତୀୟ ସ୍ପିନର ଆର ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ସାମ୍ନା କରିପାରି ନଥିଲା । ଫଳରେ ଦଳ ଶେଷ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା । ଭାରତ ଟେଷ୍ଟ ସିରିଜକୁ ୩-୧ରେ ଜିତି ନେଇଥିଲା ।

ପୋପ୍ କହିଛନ୍ତି ଯେ, ପ୍ରଥମ  ଟେଷ୍ଟର ଦ୍ୱିତୀୟ ଇନିଂସରେ ବଲ୍ ବହୁତ ସ୍ପିନ୍ ହେଉଥିଲା । ସେ ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ଠିଆ ହୋଇଥିଲେ । ତାଙ୍କ ପାଖକୁ କୋହଲି ଆସି ଏହା ଶେଷ ବ୍ୟାଟିଂ ଅନୁକୂଳ ପିଚ୍ ବୋଲି କହିଥିଲେ । ଏହାପରେ ସେ ବ୍ୟାଟସମ୍ୟାନଙ୍କ ପାଇଁ ସିରିଜ୍ ବହୁତ ଚ୍ୟାଲେଞ୍ଜଭରା ହେବ ବୋଲି ଭାବିଥିଲେ । ଜୋ ରୁଟ୍ ଓ ବେନ୍ ଷ୍ଟୋକସଙ୍କ ଭଳି ଖେଳାଳି ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଇଏସପିଏନ କ୍ରିକଇନଫୋ ଅନୁସାରେ, ରୁଟ୍ ଓ ଷ୍ଟୋକସଙ୍କ ସହ ସେ ପିଚକୁ ନେଇ ଆଲୋଚନା କରିଥିଲେ । ଉଭୟ ଖେଳାଳି ପିଚରେ ବ୍ୟାଟିଂ କରିବା କଷ୍ଟକର ବୋଲି ସ୍ୱୀକାର କରିଥିଲେ । ଏହାସହ କାଉଣ୍ଟିଂ ଚାମ୍ପିଅନସିପ୍ ଖେଳିବାକୁ ପ୍ରସ୍ତୁତ ଥିବା ପୋପ୍ ବାୟୋ ବବଲରୁ ବାହାରି ଆଶ୍ୱସ୍ତି ଅନୁଭବ କରୁଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.