ଚାପରେ ଅଧିନାୟକ ବିରାଟ କୋହଲି ! ୭ ବର୍ଷ ପରେ ପ୍ରଥମ ଥର ଆରମ୍ଭ ହେଲା ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ ଧାରା
30/11/2020 at 6:01 PM

ନୂଆଦିଲ୍ଲୀ ୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ବିରାଟ କୋହଲି ବର୍ତ୍ତମାନ ଚାପର ବଶବର୍ତ୍ତୀ ହୋଇଛନ୍ତି। ଏମିତି ଲାଗୁଛି ଯେ, ଭାରତୀୟ ଦଳ ଘରୋଇ କଙ୍ଗାରୁ ଦଳ ସମ୍ମୁଖରେ ଆତ୍ମ ସମର୍ପଣ କରିଛି। ଦିନିକିଆ ସିରିଜ୍ରେ ଆଉ ଗୋଟିଏ ମ୍ୟାଚ୍ ବାକି ରହିଛି। ଦିନିକିଆ ପରେ ଉଭୟ ଦଳ ମଧ୍ୟରେ ଟି-୨୦ ଓ ଟେଷ୍ଟ ସିରିଜ୍ ହେବାକୁ ଯାଉଛି। ଏଥର ଅଷ୍ଟ୍ରେଲିଆ ଗସ୍ତ ବିରାଟଙ୍କ ପାଇଁ ଅଗ୍ନି ପରୀକ୍ଷା ପରି ରହିଛି। ଗତ ୫ଟି ଦିନିକିଆରେ ଭାରତୀୟ ଦଳ କ୍ରମାଗତ ପରାଜିତ ହୋଇ ଚାଲିଛି। ଏହା ପୂର୍ବରୁ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ ଏମିତି କ୍ରମାଗତ ମ୍ୟାଚ୍ ହାରିନଥିଲା।
ବିରାଟ କୋହଲି ୨୦୧୩ ଠୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି। ତାଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଅନେକ ରେକର୍ଡ କରିଛି। ମାତ୍ର ଗତ ପାଞ୍ଚଟି ଦିନିକିଆରେ ଟିମ୍ ଇଣ୍ଡିଆକୁ କ୍ରମାଗତ ପରାଜୟର ସାମ୍ନା କରିବାକୁ ପଡିଛି। ପରାଜୟର ଏହି ଧାରା ଗତ ନ୍ୟୁଜିଲାଣ୍ଡ ସିରିଜରୁ ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ଲଗାତାର ୩ଟି ମ୍ୟାଚ୍ରେ ପରାସ୍ତ ହୋଇଥିଲା। ଏହା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଲଗାତାର ୨ଟି ମ୍ୟାଚ୍ ହାରି ସାରିଲାଣି।
ଲଗାତାର ହାରିବାର ରେକର୍ଡ
ଗତ ୪୬ ବର୍ଷରେ ଟିମ୍ ଇଣ୍ଡିଆ ସର୍ବାଧିକ ୮ଟି ମ୍ୟାଚ୍ରେ ପରାଜିତ ହୋଇଥିଲା। ଦଳ ଏହି ପରାଜୟ ୧୯୮୧ରେ ସୁନିଲ ଗାଭାସ୍କରଙ୍କ ଅଧିନାୟକତ୍ଵରେ ଭୋଗିଥିଲା। ଏହି ପରାଜୟ ଧାରା ସିଡନୀ ପଡିଆରୁ ଆରମ୍ଭ ହୋଇଥିଲା। ପରେ ୧୯୮୯ରେ ଶ୍ରୀକାନ୍ତଙ୍କ ଅଧିନାୟକତ୍ଵରେ ଭାରତ କ୍ରମାଗତ ୭ଟି ମ୍ୟାଚ୍ରେ ପରାଜିତ ହୋଇଥିଲା। ପୁଣି ଭେଙ୍କସରକାରଙ୍କ ସମୟରେ ଦଳକୁ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ପଞ୍ଚମ ଥର ଟିମ୍ ଇଣ୍ଡିଆକୁ ଲଗାତାର ୫ଟି ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।
କ୍ରମାଗତ ୫ ମ୍ୟାଚ୍ ହାରିଥିବା ଅଧିନାୟକ ମଧ୍ୟରେ ବିଶନ ସିଂହ ବେଦୀ ଓ ଭେଙ୍କଟରାଘବନ ମଧ୍ୟ ଅଛନ୍ତି। ୧୯୭୮ରେ ଏହି ଦୁଇ ଅଧିନାୟକଙ୍କ ସମୟରେ ଦଳ ୫ଟି ମ୍ୟାଚ୍ରେ କ୍ରମାଗତ ପରାଜିତ ହୋଇଥିଲା। ୧୯୮୩ରେ କପିଲଦେବଙ୍କ ଅଧିନାୟକତ୍ଵରେ ଭାରତକୁ କ୍ରମାଗତ ୫ଟି ଦିନିକିଆରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ୧୯୮୮ରେ ରବି ଶାସ୍ତ୍ରୀ, ୨୦୦୨ରେ ସୌରଭ ଗାଙ୍ଗୁଲି ଓ ୨୦୦୫ରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ଵରେ ଭାରତକୁ ଲଗାତାର ୫ଟି ମ୍ୟାଚ୍ରେ ପରାଜୟ ଭୋଗିବାକୁ ପଡିଥିଲା।