ICC ଫାଇନାଲ୍‌ରେ ସବୁଠୁ ଅଧିକ ରନ୍‌ କରିଛନ୍ତି କୋହଲି, ଅଧିନାୟକ ଭାବେ କଲେ ନିଆରା ରେକର୍ଡ, ୨ ମାମଲାରେ ଆଗରେ ରହିଗଲେ ଗାଭାସ୍କର

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ ୨୧/୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ଣ୍ଣାମେଣ୍ଟ ଫାଇନାଲରେ ସବୁଠୁ ଅଧିକ ରନ୍‌ କରିଥିବା ଭାରତୀୟ ଖେଳାଳି ହେଲେ ବିରାଟ କୋହଲି। ସେ ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ବିରାଟ କୋହଲି ସବୁଠୁ ଅଧିକ ଆଇସିସି ଫାଇନାଲ୍‌ ଖେଳିବା ମାମଲାରେ ଦ୍ବିତୀୟ ଭାରତୀୟ ଖେଳାଳି। ଆଇସିସି ଓ୍ବାର୍ଲଡ୍‌ ଟେଷ୍ଟ ଚାମ୍ପିୟନସିପ୍‌ ଫାଇାନଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି କୋହଲି। ସେ ଇଂଲଣ୍ଡରେ ନିଜର ୬୦୦ ଟେଷ୍ଟ ରନ୍‌ ପୂରା ମଧ୍ୟ କରିଛନ୍ତି। ପ୍ରଥମ ଏସିଆନ ଅଧିନାୟକ ଯିଏକି ଇଂଲଣ୍ଡରେ ୬୦୦ ରନ୍‌ ପୂରା କରିଛନ୍ତି।

ଡବ୍ଲୁଟିସି ଫାଇନାଲ୍‌ରେ ଖେଳିବା ପୂର୍ବରୁ ଇଂଲଣ୍ଡରେ କୋହଲି ୫୯୩ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ପାଳିରେ ସେ ୪୪ ରନ୍‌ କରିଥିଲେ। ଏବେ ଇଂଲଣ୍ଡରେ ଅଧିନାୟକ ଭାବେ ସେ ୬୩୭ ଟେଷ୍ଟ ରନ୍‌ ହାସଲ କରିନେଇଛନ୍ତି। ଏହି ଲିଷ୍ଟର ଦ୍ବିତୀୟରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଅଧିନାୟକ ଭାବେ ଧୋନୀ ଇଂଲଣ୍ଡରେ ୫୬୯ ରନ୍‌ କରିଥିଲେ। ତୃତୀୟ ସ୍ଥାନରେ ମହମ୍ମଦ ଆଝାରୁଦ୍ଦିନ (୪୬୮ ରନ୍‌), ଚତୁର୍ଥ ନମ୍ବରରେ ଶ୍ରୀଲଙ୍କାର ଏଞ୍ଜେଲା ମାଥ୍ୟୁସ୍‌ (୪୩୧ ରନ୍‌) ଏବଂ ପଞ୍ଚମ ସ୍ଥାନରେ ପାକିସ୍ତାନର ଇମ୍ରାନ୍‌ ଖାନ୍‌ (୪୦୩ ରନ୍‌) ରହିଛନ୍ତି।

ବିରାଟ କୋହଲି ଆଇସିସି ଫାଇାନଲର ପଞ୍ଚମ ଇନିଂସ୍‌ ଖେଳିଛନ୍ତି। ଏବେ ସୁଦ୍ଧା କୋହଲି ୨୦୪ ରନ୍‌ କରିଛନ୍ତି। ଦ୍ବିତୀୟ ସ୍ଥାନରେ ଗୌତମ ଗମ୍ଭୀର ଅଛନ୍ତି। ସେ ଆଇସିସିର ଦୁଇଟି ଫାଇାନାଲ୍‌ ଖେଳିଥିଲେ। ଗମ୍ଭୀର ଦୁଇ ଫାଇନାଲ ଇନିଂସ୍‌ରୁ ୧୭୨ ରନ୍‌ କରିଥିଲେ । ଏହା ସହ ଦୁଇ ପାଳିରୁ ୧୪୧ ରନ୍‌ ସହ ଗାଙ୍ଗୁଲି ତୃତୀୟ ସ୍ଥାନରେ ଥିବା ବେଳେ ୪ ପାଳିରୁ ୧୨୦ ରନ୍‌ କରି ଚତୁର୍ଥରେ ଅଛନ୍ତି ସେହ୍ବାଗ। ପଞ୍ଚମ ସ୍ଥାନରେ ୬ ଇନିଂସ୍‌ରୁ ୧୧୦ ରନ୍‌ କରି ଯୁବରାଜ ସିଂହ ଅଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ଟେଷ୍ଟ କ୍ରିକେଟରେ ୭୫୦୦ ରନ୍‌ ପୂରା କରିଛନ୍ତି। ବିଶ୍ବରେ ନବମ ଖେଳାଳି ଭାବେ ଏହି ରେକର୍ଡ କରିଥିବା ବେଳେ ଭାରତର ସୁନିଲ ଗାଭାସ୍କରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ। ଏହା ବ୍ୟତୀତ ଦୁଇଟି ମାମଲାରେ ଗାଭାସ୍କରଙ୍କ ପଛରେ ରହିଯାଇଛନ୍ତି କୋହଲି। ୧୫୪ ଇନିଂସ୍‌ରେ (୮୮ ଟେଷ୍ଟ ମ୍ୟାଚ୍‌) ୭୫୮୫ ରନ୍‌ କରିଥିଲେ ଗାଭାସ୍କର। କିନ୍ତୁ କୋହଲି  ୭୫୩୪ ରନ୍‌ କରିପାରିଛନ୍ତି। ଏହି ମାଇଲ ଖୁଣ୍ଟା ଅତିକ୍ରମ କରିବା ପାଇଁ ଉଭୟ ଗାଭାସ୍କର ଏବଂ  କୋହଲି ୨୭-୨୭ ଟେଷ୍ଟ ଶତକ ମାରିଛନ୍ତି। କିନ୍ତୁ ଗାଭାସ୍କର ୩୩ଟି ଅର୍ଦ୍ଧଶତକ ମାରିଥିବା ବେଳେ କୋହଲି ଏବେ ଯାଏ ୨୫ଟି ଫିଫ୍ଟି ମାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.