‘ଟେଷ୍ଟ୍ କ୍ରିକେଟ ମୋତେ ଭଲ ମଣିଷ କରିଛି, ଧୋନୀଙ୍କ ସହ ବ୍ୟାଟିଂ କରିବାକୁ ମଜା ଲାଗେ’,ନିଜ ମନର କଥା କହିଲେ କୋହଲି
3/04/2020 at 11:11 AM

ନୂଆଦିଲ୍ଲୀ, ୦୩|୦୪: ଟେଷ୍ଟ କ୍ରିକେଟ ଖେଳିବା ଦ୍ୱାରା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଗ ଅପେକ୍ଷା ଭଲ ବ୍ୟାଟିଂ କରୁଛନ୍ତି । ଏହା ଜୀବନକୁ ଅନେକ କିଛି ଦେଇଥାଏ । ଏହି ମ୍ୟାଚର ଅର୍ଥ କୌଣସି ବ୍ୟକ୍ତି ପାଖରେ ଖରାପ ସମୟରେ ପଳାୟନ କରିବାର ବିକଳ୍ପ ନଥାଏ ବୋଲି କୋହଲି କହିଛନ୍ତି । ନିଜ ଇନଷ୍ଟାଗ୍ରାମ ପେଜରେ କୋହଲି ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ତଥା ଆଇପିଏଲ ଟିମର ପୂର୍ବତନ ସାଥୀ ଖେଳାଳି କେଭିନ୍ ପିଟରସନଙ୍କ ସହ ସେ ଏହା ସେୟାର କରିଛନ୍ତି ।

ନିଜ ପସନ୍ଦର ଫର୍ମାଟ ବାବଦରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୋହଲି କହିଛନ୍ତି ଯେ, ଟେଷ୍ଟ କ୍ରିକେଟ । ସେ ୫ଥର ଟେଷ୍ଟ କ୍ରିକେଟର ନାଁ ଉଚ୍ଚାରଣ କରିଥିଲେ । ଏହି ଫର୍ମାଟରେ ଆପଣ ରନ ନକଲେ ବି ଅନ୍ୟ ଖେଳାଳି ବଡ ସ୍କୋର କଲେ ଆପଣଙ୍କୁ ତାଳି ମାରିବାକୁ ହୁଏ । ନିଜ କୋଠରୀରୁ ଫେରିବା ପରେ ତାପର ଦିନ ସକାଳେ ପୁଣି ପଡିଆକୁ ଯିବାକୁ ହୁଏ ।ଆପଣଙ୍କୁ ଦିନଚର୍ଯ୍ୟାର ପାଳନ କରିବାକୁ ହୁଏ । ଏହା ଏକ ଜୀବନ ଭଳି । ଟେଷ୍ଟ କ୍ରିକେଟ ତାଙ୍କୁ ଜଣେ ଭଲ ମଣିଷ ଓ ବ୍ୟାଟସମ୍ୟାନ କରିଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସେ ନିଜକୁ ଏବି ଡିଭିଲର୍ସଙ୍କ ସହ କେବେ ତୁଳନା କରିବେ ନାହିଁ । କାରଣ ସେ ଡିଭିଲର୍ସଙ୍କୁ ସମ୍ମାନ କରନ୍ତି । ଏପରିକି ଧୋନୀଙ୍କ ସହ ବ୍ୟାଟିଂ କରିବା ବେଶୀ ପସନ୍ଦ । କାରଣ ରନ ନେବା ବେଳେ ଭଲ ତାଲମେଳ ରହିଥାଏ । ଧୋନୀ ଓ ଡିଭିଲର୍ସଙ୍କ ସହ ବ୍ୟାଟିଂ କରିବାକୁ ମଜା ଲାଗିଥାଏ ବୋଲି କୋହଲି କହିଛନ୍ତି ।