ବିଦେଶରେ ଖେଳିବାକୁ ଯିବାବେଳେ ଦୁଇସପ୍ତାହ ନୁହେଁ ବରଂ ପୁରା ସମୟ ପତ୍ନୀଙ୍କୁ ପାଖରେ ରଖିବାକୁ ଅନୁମତି ମାଗିଲେ ବିରାଟ କୋହଲି : ମନାକଲା ବିସିସିଆଇ
7/10/2018 at 4:21 PM

ନୂଆଦିଲ୍ଲୀ ୭|୧୦: ଦୁଇ ସପ୍ତାହ ବଦଳରେ ପୁରା ବିଦେଶ ଗସ୍ତ ସମୟରେ ପତ୍ନୀଙ୍କୁ ସାଙ୍ଗରେ ରହିବା ଲାଗି ଅନୁମତି ଦେବାପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବିସିସିଆଇକୁ ଅନୁରୋଧ କରିଛନ୍ତି । ବିଦେଶରେ କ୍ରିକେଟ୍ ଖେଳିବାକୁ ଯାଇଥିବା ଖେଳାଳୀମାନଙ୍କୁ ଏବେ ମାତ୍ର ଦୁଇ ସପ୍ତାହ ପତ୍ନୀଙ୍କୁ ସାଙ୍ଗରେ ରଖିବାର ଅନୁମତି ରହିଛି । ବିରାଟ କୋହଲିଙ୍କ ଏହି ଅନୁରୋଧ ଚର୍ଚ୍ଚାର ବିଷୟ ହୋଇଛି । ତେବେ ବିସିସିଆଇ ବର୍ତ୍ତମାନ ଏ ନେଇ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ବିଦେଶକୁ ଖେଳିବାକୁ ଯିବାବେଳେ ଖେଳାଳୀଙ୍କ ସହ ପତ୍ନୀ ଓ ପ୍ରେମିକାଙ୍କ ରହଣିକୁ ନେଇ ବିବାଦ ଦୀର୍ଘଦିନରୁ ଲାଗିରହିଛି । ଏ ପ୍ରସଙ୍ଗକୁ ନେଇ ୨୦୦୭ ମସିହାରେ ବିସିସିଆଇ ପକ୍ଷରୁ ଏକ ଲିଖିତ ପରୀକ୍ଷା /ସର୍ଭେ କରାଯାଇଥିଲା । ପତ୍ନୀ ଓ ପ୍ରେମିକାମାନେ ସାଙ୍ଗରେ ରହିବା କାରଣରୁ ମୁଖ୍ୟତଃ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ଖରାପ ପ୍ରଭାବ ପଡୁଥିବା ସର୍ଭେର ଫଳାଫଳରୁ ଜଣାପଡିଥିଲା ।
ଫଳରେ ଖେଳ ସମୟରେ ବିଦେଶରେ ପତ୍ନୀଙ୍କୁ ସାଙ୍ଗରେ ରଖିବା ଉପରେ କଟକଣା ଜାରି କରାଯାଇଥିଲା । ଏଭଳି କଟକଣାକୁ ଏବଂ ସର୍ଭେର ଫଳାଫଳକୁ ନେଇ ସେତେବେଳେ ଇଂଲଣ୍ଡର ଖେଳାଳି କେବିନ ପିଟରସନ ଉଦ୍ଭଟ ବୋଲି କହିଥିଲେ ।