ଯାଉ ଯାଉ ଏମିତି ଦମଦାର ରେକର୍ଡ କରି ଗଲେ ବିରାଟ କୋହଲି...

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯।୧୧: ଟି-୨୦ରେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଅଭିଯାନ ଶେଷ ହୋଇଛି। ବିରାଟ ନିଜ ନେତୃତ୍ଵରେ ଭାରତକୁ ଅନେକ ସ୍ମରଣୀୟ ବିଜୟ ଦେଇଛନ୍ତି। ଗତକାଲି ନାମିବିୟା ବିପକ୍ଷ ମ୍ୟାଚ୍‌ ଅଧିନାୟକ ଭାବେ ଶେଷ ମ୍ୟାଚ୍ ଥିଲା।

ଏହି ମୁକାବିଲାରେ ଦଳ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି। ହେଲେ ଆରମ୍ଭ ଦୁଇ ମ୍ୟାଚ୍‌ରେ ଭାରତ ଯେଉଁ ଭୁଲ୍ କରିଥିଲା, ତାହା ଶେଷ ଯାଏଁ ଦଳ ଉପରେ ଭାରି ପଡିଛି। ଦଳର ସଠିକ୍ ଚୟନ ହେଉ କି ମ୍ୟାଚ୍‌ ସମୟରେ ହୋଇଥିବା ଭୁଲ୍ ସଭିର ପରିଣାମ ଭାରତକୁ ଭୋଗିବାକୁ ପଡିଛି। ହେଲେ ଏହି ସବୁ କଥାରେ ଏବେ ଆଉ କିଛି ମୂଲ୍ୟ ନାହିଁ। ଦଳକୁ ଏହି ସବୁ ଭୁଲ୍‌ରୁ ଶିକ୍ଷା ନେଇ ଆଗକୁ ବଢିବାର ଅଛି। ଆଜି ଆମେ ଆଲୋଚନା କରିବା ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ। ଜଣେ ଅଧିନାୟକ ଭାବେ କଣ ହାସଲ କରିଛନ୍ତି। ଏଥିସହ ସେ କେଉଁ କେଉଁ ରେକର୍ଡ ସ୍ଥାପନ କରିଛନ୍ତି, ଯାହାକୁ ନେଇ ସଭିଏ ଗର୍ବ ଅନୁଭବ କରିବେ।

କୋହଲି ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ୫୦ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଦଳ ୩୨ଟି ମ୍ୟାଚ୍ ଜିତିଥିବା ବେଳେ ୧୬ଟିରେ ପରାଜିତ ହୋଇଛି। ଦୁଇଟି ମ୍ୟାଚ୍‌ର ଫଳାଫଳ ବାହାରି ନାହିଁ। ବିଜୟ ପ୍ରତିଶତ ମାମଲାରେ କୋହଲି ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି। ଧୋନୀଙ୍କ ଟି-୨୦ ଅନ୍ତର୍ଜାତୀୟରେ ବିଜୟ ପ୍ରତିଶତ ୫୯.୨୮ ପ୍ରତିଶତ ରହିଥିବା ବେଳେ କୋହଲିଙ୍କ ଏହା ୬୪.୫୮ ପ୍ରତିଶତ ରହିଛି। ବିରାଟ ଭାରତର ଦ୍ଵିତୀୟ ଅଧିନାୟକ ଯିଏ ଭାରତ ପାଇଁ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ତିନି ଫର୍ମାଟରେ ୫୦ ମ୍ୟାଚ୍‌ରେ ଦଳର ନେତୃତ୍ଵ ନେଇଛନ୍ତି।

କୋହଲିଙ୍କ ଅଧିନାୟକତ୍ଵକୁ ନେଇ ଯେତେ ପ୍ରଶ୍ନ ଉଠିଲେ ମଧ୍ୟ ତାଙ୍କ ନେତୃତ୍ଵରେ ଭାରତ ଟି-୨୦ରେ ଅଧିକ ମ୍ୟାଚ୍ ଜିତିଛି। ଦଳକୁ ଅଧିକ ଜିତାଇବା ମାମଲାରେ ସେ ଦୁନିଆର ଶୀର୍ଷ ୫ ଅଧିନାୟକ ମଧ୍ୟରେ ୪ ନମ୍ବରରେ ରହିଛନ୍ତି। କୋହଲି ନିଜ ନେତୃତ୍ଵରେ ଭାରତକୁ ଅନେକ ସ୍ମରଣୀୟ ବିଜୟ ଦେଇଛନ୍ତି। ହେଲେ ସେ ଭାରତକୁ ସେ ଆଇସିସି ଟ୍ରଫିଟିଏ ଜିତାଇ ପାରିଲେ ନାହିଁ। ଏହା ତାଙ୍କ ଜୀବନର ବୋଧହୁଏ ସବୁଠୁ ବଡ ଅବଶୋଷ।

ବର୍ତ୍ତମାନ କୋହଲି ଦଳରେ ଜଣେ ଖେଳାଳି ଭାବେ ଖେଳିବେ। ତେଣୁ ସେ ପୂରା ଉଦ୍ୟମ କରିବେ ଯେ, ନିଜ ବ୍ୟାଟିଂ ଦମରେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପରେ ଭାରତକୁ ଚାମ୍ପିଅନ କରାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.