ବିଶ୍ବ ରେକର୍ଡ୍ରୁ ମାତ୍ର ଗୋଟିଏ ଶତକ ଦୂରରେ ବିରାଟ କୋହଲି, ମୋଟେରାରେ ଭାଙ୍ଗିବେ କି ଏହି କ୍ରିକେଟ କିମ୍ବଦନ୍ତୀଙ୍କ ନିଆରା ରେକର୍ଡ୍ ?
2/03/2021 at 9:09 PM

ନୂଆଦିଲ୍ଲୀ ୦୨/୦୩ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଅନ୍ତିମ ମ୍ୟାଚ୍ ୪ ମାର୍ଚ୍ଚରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ରେ ଭାରତୀୟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ନୂଆ ରେକର୍ଡ୍ କରିବାକୁ ସୁଯୋଗ ରହିଛି । କୋହଲି ଏହି ସିରିଜ୍ ବର୍ତ୍ତମାନ ସୁଦ୍ଧା ୨ଟି ଅର୍ଦ୍ଧଶତକ ହାସଲ କରିସାରିଥିଲେ ସୁଦ୍ଧା ଶତକ ହାସଲରୁ ବଞ୍ଚିତ ହୋଇଛନ୍ତି ।
ଭାରତ, ଇଂଲଣ୍ଡ ଠାରୁ ୨-୧ରେ ଆଗରେ ରହିଛି । ତେବେ ଯଦି ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି କିମ୍ବା ଡ୍ର କରି ସିରିଜ୍ ହାତେଇବା ଲକ୍ଷ୍ୟରେ ଅଛି । ଅଧିନାୟକ ବିରାଟ କୋହଲି ୨୦୧୯ ପରଠାରୁ ଟେଷ୍ଟ କ୍ରିକେଟ୍ରେ ଶତକ ହାସଲ କରିପାରିନାହାନ୍ତି । ଶେଷ ଥର ପାଇଁ ନଭେମ୍ବର ୨୦୧୯ରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଶତକ ହାସଲ କରିଥିଲେ ବିରାଟ କୋହଲି । ଏହା ପରେ କୋହଲି ୧୧ଟି ଇନିଂସ ଖେଳିସାରିଥିଲେ ସୁଦ୍ଧା ଶତକ ହାସଲ କରିପାରିନାହାନ୍ତି ।
ମୋଟେରା ଟେଷ୍ଟରେ ଯଦି କୋହଲି ଶତକ ହାସଲ କରନ୍ତି, ତେବେ ସେ ଅଧିନାୟକ ଭାବେ ସବୁଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ କରିବେ । ଏହି ରେକର୍ଡ ଏବେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କ ନାଁରେ ରହିଛି । ଅଧିନାୟକ ଭାବେ ବିରାଟ କୋହଲି ମୋଟ ୪୧ଟି ଶତକ ହାସଲ କରିଥିବା ବେଳେ ରିକି ପଣ୍ଟିଂ ୪୨ଟି ଶତକ ହାସଲ କରିଛନ୍ତି । କେବଳ ଟେଷ୍ଟ କ୍ରିକେଟ୍ରେ କୋହଲିଙ୍କ ଏହା ୨୮ତମ ଶତକ ହେବ ।