ମୁସ୍କିଲରେ ବିରାଟ କୋହଲି, କେରଳ ହାଇକୋର୍ଟ ପଠାଇଲେ ନୋଟିସ୍
27/01/2021 at 4:49 PM

ନୂଆଦିଲ୍ଲୀ ୨୭।୦୧: କେରଳ ହାଇକୋର୍ଟ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି, ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଓ ଅଜୁ ବର୍ଗିଜଙ୍କୁ ନୋଟିସ୍ ଜାରି କରିଛନ୍ତି। ବିରାଟ, ତମନ୍ନା ଓ ଅଜୁ ଅନଲାଇନ୍ ରମି ଗେମ୍ସର ବ୍ରାଣ୍ଡ ଆମ୍ବାସଡର। କେରଳ ଉଚ୍ଚ ନ୍ୟାୟାଳୟରେ ଦାଖଲ ଆବେଦନରେ ଏହି ଅନଲାଇନ୍ ଗେମ୍ ଉପରେ କଟକଣା ଲଗାଇବାକୁ ଦାବି କରାଯାଇଛି। ଏଥିରେ ଏହା ମଧ୍ୟ କୁହାଯାଇଛି ବ୍ରାଣ୍ଡ ଆମ୍ବାସଡରମାନେ ଯୁବ ବର୍ଗଙ୍କୁ ନିଶାଖୋର କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଛନ୍ତି।
ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରି ନିଜର ପକ୍ଷ ରଖିବାକୁ କହିଛନ୍ତି। ଆବେଦନକାରୀ ଅଦାଲତରେ ଅଭିଯୋଗ କରିଥିଲେ ଯେ, ଅନଲାଇନ୍ ଗେମ୍ ଖେଳି ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ କରିବା ପରେ ଦେଶରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଲେଣି। ତେଣୁ ଏହା ଉପରେ କଟକଣା ଲଗାଇବା ଉଚିତ୍।
୨୭ ବର୍ଷୀୟ ବିନିଥ୍ କିଛି ଦିନ ପୂର୍ବେ ତିରୁଅନନ୍ତପୁରମର କୁଟ୍ଟିକଲରେ ଆତ୍ମହତ୍ୟା କରିଥିଲେ। ସେ ଏହି ଅନଲାଇନ୍ ଗେମ୍ ଚକ୍କରରେ ୨୧ ଲକ୍ଷ ଟଙ୍କା ହରାଇଥିଲେ। ୩୨ ବର୍ଷୀୟ ସାଜେଶ ମଧ୍ୟ ଏହି ଗେମ୍ ଖେଳି ବିପୁଳ ଟଙ୍କା ହରାଇଛନ୍ତି। ସେ କହିଛନ୍ତି, ମାନନୀୟ ଉଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବା ସ୍ଵାଗତଯୋଗ୍ୟ ପଦକ୍ଷେପ। କାରଣ ଏହି ଅନଲାଇନ୍ ଗେମ୍ ଖେଳି ଅନେକ ଲୋକ ଲକ୍ଷଲକ୍ଷ ଟଙ୍କା ହରାଇ ସାରିଛନ୍ତି। ମୁଁ ନିଜେ ୬ ଲକ୍ଷ ଟଙ୍କା ହରାଇଥିବା ଆବେଦନକାରୀ କହିଛନ୍ତି।
ସେ କହିଛନ୍ତି, ବ୍ରାଣ୍ଡ ଆମ୍ବାସଡର ବାସ୍ତବରେ ଏହି ଗେମ୍କୁ ଖେଳିବା ପାଇଁ ନୀରିହ ଯୁବକଙ୍କୁ ଆକର୍ଷିତ କରିବାରେ ବଡ ଭୂମିକା ନିର୍ବାହ କରନ୍ତି। ଫଳରେ ନିଜର ପ୍ରିୟ ଅଭିନେତା ଓ କ୍ରିକେଟ୍ରକୁ ବିଜ୍ଞାପନରେ ଦେଖି କୋମଳପତି ପିଲାମଧ୍ୟ ଏହି ଗେମ୍ ଚକ୍କରରେ ଫସି ଯାଉଛନ୍ତି। ମୋତେ ଏହି ଗେମ୍ର ଚକ୍କରରୁ ବାହାରିବା ପାଇଁ ଡାକ୍ତରଙ୍କ ସହାୟତା ନେବାକୁ ପଡିଥିଲା। ତେଣୁ ଅଦାଲତ ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗେମ୍ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍।