କୋହଲିଙ୍କ 'ବିରାଟ' ଉପଲବ୍ଧି, ପ୍ରଥମ ଖେଳାଳି ଭାବେ ହାସଲ କଲେ ଏହି ରେକର୍ଡ...

Published By : Prameya-News7 Bureau | April 10, 2021 IST

ନୂଆଦିଲ୍ଲୀ,୧୦/୦୪:   ଭାରତୀୟ ଦଳର ଅଧିନାୟକ  ବିରାଟ କୋହଲି ଟି୨୦ କ୍ରିକେଟରେ ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଅଧିନାୟକ ଭାବେ ୬୦୦୦ ରନ୍ ପୂରଣ କରିଛନ୍ତି । ସେ ଶୁକ୍ରବାର ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଏହି କାରନାମା ହାସଲ କରିଛନ୍ତି । ଏହାସହ ଅଧିନାୟକ ଭାବେ ଭାରତ ପକ୍ଷରୁ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି ।

ବିରାଟ ୧୬୮ ତମ ଇନିଂସରେ ୬ ହଜାର ରନ୍ ପୂରଣ କରିଥିଲେ । ଏହି ମାମଲାରେ ଦୁଇ ନମ୍ବର ସ୍ଥାନରେ ମହେନ୍ଦ୍ର ସିଂ ଧୋନୀ ରହିଛନ୍ତି । ସେ ଅଧିନାୟକ ଭାବେ ଟି୨୦ କ୍ରିକେଟରେ ୮୫୭୨ ରନ୍ କରିଛନ୍ତି । ବିରାଟ ଆଇପିଏଲରେ ସର୍ବାଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍ ମଧ୍ୟ । ସେ ଆଇପିଏଲରେ ୬୦୦୦ ରନ୍ ପୂରଣ କରିବାର ନିକଟତର ହୋଇଛନ୍ତି ।

ଏହାସହ ବିରାଟ ଟି୨୦ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିବାଠୁ ୨୩୬ ରନ୍ ଦୂରରେ ଅଛନ୍ତି । ସେ ୩୦୫ଟି ଟି୨୦ ମ୍ୟାଚରେ ୯୭୬୪ ରନ୍ କରିଛନ୍ତି । ତେବେ ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିବାର ରେକର୍ଡ କ୍ରିସ ଗେଲଙ୍କ ନାଁରେ ରହିଛି । ସେ ୪୧୬ଟି ମ୍ୟାଚ ଖେଳି ୧୩ ହଜାର ୭୨୦ ରନ୍ କରିଛନ୍ତି । କାଇରନ୍ ପୋଲାର୍ଡ ୧୦୬୨୯ ରନ୍ କରି ସାରିଛନ୍ତି । ପାକିସ୍ତାନର ସୋଏବ ମଲ୍ଲିକ ୧୦୪୪୮ ରନ୍ କରିଛନ୍ତି । ଏହି ତାଲିକାରେ କୋହଲି ୬ ନମ୍ବରରେ ରହିଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲ-୧୪ର ପ୍ରଥମ ମ୍ୟାଚରେ କୋହଲି ୩୩ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ବିରାଟଙ୍କ ଆରସିବି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ୱିକେଟରେ ପରାସ୍ତ କରିଥିଲା । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା । ଜବାବରେ ଆରସିବି ଏବି ଡିଭିଲର୍ସଙ୍କ ୪୮ ରନ୍ ସାହାଯ୍ୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.