କୋହଲିଙ୍କ ପାଇଁ ନିରାଶଜନକ ରହିଲା ୨୦୨୦, ବ୍ୟାଟରୁ ବାହାରିଲାନି ଗୋଟିଏ ବି ଶତକ
19/12/2020 at 3:56 PM

ନୂଆଦିଲ୍ଲୀ ୧୯।୧୨: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚଳିତ ବର୍ଷ ସେତେଟା ଖାସ୍ କରି ନାହିଁ। ଏହି ବର୍ଷ କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଗୋଟିଏ ହେଲେ ଶତକ ହାସଲ କରି ପାରି ନାହାନ୍ତି। ମାର୍ଚ୍ଚରେ କରୋନା କାରଣରୁ ଲାଗିଥିବା ଲକ୍ଡାଉନ୍ ପରେ ଅଷ୍ଟ୍ରେଲିଆ ଗସ୍ତ ଜରିଆରେ ଭାରତୀୟ ଦଳ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଛି। ହେଲେ ଚଳିତ ଗସ୍ତରେ କୋହଲି କୌଣସି ବି ଫର୍ମାଟରେ ଶତକ ଅର୍ଜନ କରି ପାରି ନାହାନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ସେ ୨୧, ୮୯ ଓ ୬୩ ରନ କରିଥିଲେ। ୩ ମ୍ୟାଚ୍ର ଟି-୨୦ ମ୍ୟାଚ୍ରେ ସେ ୯, ୪୦ ଓ ୮୫ ରନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଆଶା କରାଯାଉଥିଲା ସେ ଚଳିତ ବର୍ଷରେ ପ୍ରଥମ ଶତକ ହାସଲ କରିବେ। ହେଲେ ଆଡିଲେଡ୍ ଟେଷ୍ଟର ପ୍ରଥମ ଇନିଂସରେ ସେ ୭୪ ରନ ଏବଂ ଦ୍ଵିତୀୟ ଇନିଂସରେ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା। ସେହି ଗସ୍ତରେ କୋହଲିଙ୍କ ବ୍ୟାଟ୍ରୁ ମଧ୍ୟ ଗୋଟିଏ ହେଲେ ଶତକ ଦେଖିବାକୁ ମିଳିନଥିଲା।
କୋହଲି ଏବେ ପିତୃତ୍ଵ ଅବକାଶଈରେ ଭାରତ ଫେରି ଆସିବେ। ବାକି ତିନୋଟି ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଫଳରେ ଚଳିତ ବର୍ଷ କୋହଲିଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ୍ ଶେଷ ହୋଇଛି।