‘ବିରାଟଙ୍କ ପାଖରେ ରହିଛି ସଚିନଙ୍କ ରେକର୍ଡ ଭାଙ୍ଗିବାର କ୍ଷମତା, କିନ୍ତୁ ଭଗବାନଙ୍କଠୁ ଭଲ କିଏ ହୋଇପାରେ’ ?- ବ୍ରେଟ୍ ଲି
26/04/2020 at 2:59 PM

ନୂଆଦିଲ୍ଲୀ ୨୬|୦୪: ବିରାଟ କୋହଲିଙ୍କ ପାଖରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ କ୍ଷମତା ରହିଛି । କିନ୍ତୁ ସଚିନଙ୍କ ରେକର୍ଡ ଭାଙ୍ଗିବା ସହଜ ନୁହେଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଦଳର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ।
ଲି କହିଛନ୍ତି ଯେ, ସଚିନ ହେଉଛନ୍ତି କ୍ରିକେଟର ଭଗବାନ । ତାଙ୍କ ରେକର୍ଡ ଭାଙ୍ଗିବା ସହଜ ନୁହେଁ । କେହି ସଚିନଙ୍କଠୁ ଆଗକୁ ବଢିବ ତାହା କହିବା ଏବେଠାରୁ କଷ୍ଟକର । ଭଗବାନଙ୍କଠୁ ଭଲ କେହି ହୋଇପାରିବେ ନାହିଁ । ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ ଓ ଦେଖିବାକୁ ମଧ୍ୟ ପଡିବ । ତଥ୍ୟ ଆଧାରରେ ରନ୍ ବାବଦରେ ଆଲୋଚନା କଲେ ବିରାଟ ନିଶ୍ଚିତ ଭାବେ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ ।

ସେ ଆହୁରି କହିଛନ୍ତି ଯେ, ବିରାଟ ସଚିନଙ୍କ ସହ ସମକକ୍ଷ ହୋଇ ପାରନ୍ତି । ଏଥିପାଇଁ ତିନୋଟି କାରଣ ରହିଛି । ପ୍ରଥମେ ବିରାଟ ଜଣେ ପ୍ରତିଭାଶାଳୀ ବ୍ୟାଟସମ୍ୟାନ । ଦ୍ୱିତୀୟରେ ତାଙ୍କର ପିଟନେସ୍ ଭଲ ରହିଛି । ତୃତୀୟରେ କୌଣସି ବଡ ଲକ୍ଷ୍ୟ ହାସଲ କରିବା ପାଇଁ ତାଙ୍କ ପାଖରେ ମାନସିକ ଶକ୍ତି ରହିଛି । ସେ ନିଜ ପ୍ରତିଭା ସହ ଏହାକୁ ସହଜରେ କରିପାରିବେ ।
ସଚିନ ୪୯ଟି ଦିନିକିଆ ଓ ୫୧ଟି ଟେଷ୍ଟ ସତକ ଅର୍ଜନ କରିଛନ୍ତି । ସେ ୧୦୦ଟି ଅନ୍ତରାଷ୍ଟ୍ରୀୟ ଶତକ ଲଗାଇଥିବା ଏକମାତ୍ର ଖେଳାଳି ଅଟନ୍ତି । କୋହଲି ଏବେସୁଦ୍ଧା ୪୪ଟି ଦିନିକିଆ ଶତକ ଓ ୨୭ଟି ଟେଷ୍ଟ ଶତକ ଲଗାଇଛନ୍ତି । ଆଗକୁ କୋହଲି କିପରି ପ୍ରଦର୍ଶନ ଜାରି ରଖୁଛନ୍ତି ତାହା ଦେଖିବାକୁ ବାକି ରହିବ ।