ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ ; ବିଶ୍ବର ଦ୍ରୁତତମ ୧୦ହଜାର ରନ୍ କ୍ଲବ୍‌ରେ ହେଲେ ସାମିଲ

Published By : Prameya-News7 Bureau | October 24, 2018 IST

ବିଶାଖାପାଟଣା ୨୪|୧୦:  ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ । ବିଶ୍ବର ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ଦିନିକିଆରେ ୧୦ ହଜାର ରନ୍‌ କ୍ଲବରେ ସାମିଲ ହୋଇଛନ୍ତି ବିରାଟ କୋହଲି । ବିଶାଖପାଟଣା ଦିନିକିଆରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି । ଆଜିର ମ୍ୟାଚ୍ ରେ ଭାରତୀୟ କ୍ରିକେଟ ଦଳର ଅଧିକାନୟକ ବିରାଟ କୋହଲି ଆଉ ଏକ ରେକର୍ଡ ଜୋଡିଛନ୍ତି । କୋହଲି ଦିନିକିଆରେ ସବୁଠୁ କମ୍ ଇନିଂସରେ ୧୦ହଜାର ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ସଚିନ ତେନ୍ଦୁଲକରଙ୍କ ୧୭ବର୍ଷ ପୁରୁଣା ଓ୍ବାର୍ଲ୍ଡ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ବିରାଟ କୋଲହି  ୨୦୪ ଇନିଂସରେ ୯୯୧୯ ରନ୍ କରିଥିଲେ । ତାଙ୍କୁ ଏହି ରେକର୍ଡ କରିବାପାଇଁ ଆଉ ୮୧ ରନ୍ ର ଆବଶ୍ୟକତା ଥିବାବେଳେ ଆଜି ସେ ପଡିଆକୁ ଓହ୍ଲାଇଥିଲେ । ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଖାପାଟଣାରେ ଖେଳାଯାଉଥିବା ମ୍ୟାଚ୍ ର ୩୭ ଓଭରରେ ଆସସେ ନର୍ସଙ୍କ ବଲ୍ ରେ ସେ ଏହି ରେକର୍ଡ ହାସଲ କରିଛନ୍ତି । କୋହଲି କେବଳ ୨୦୫ ଇନିଂସରେ ୧୦ ହଜାର ରନ୍ କହିଛନ୍ତି । ସଚିନ ତେନ୍ଦୁଲକର ୩୧ ମାର୍ଚ୍ଚ ୨୦୦୧ରେ ୨୫୯ ଇନିଂସରେ ୧୦ହଜାର ରନ୍ କରିଥିଲେ । ଯଦି ଦେଖିବା ତେବେ କୋହଲି ସଚିନଙ୍କଠାରୁ ୫୪ ଇନିଂସ କମ୍ ଖେଳି ଏହି ରେକର୍ଡ ହାସଲ କରିଛନ୍ତି । ସବୁଠୁ କମ୍ ଇନିଂସ ଖେଳି ୧୦ହଜାର ରନ୍ କରିଥିବା ତୃତୀୟ ସ୍ଥାନରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଛନ୍ତି । ଗାଙ୍ଗୁଲି ୨୬୩ ଇନିଂସରେ ୧୦ହଜାର ରନ୍ କରିଥିଲେ । ୧୮ ଅଗଷ୍ଟ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା କୋହଲି ଜାନୁଆରୀ ୨୦୧୭ରେ ସୀମିତ ଓଭର ମ୍ୟାଚ ପାଇଁ ଭାରତୀୟ ଦଳର ଅଧିନାୟକ ହୋଇଥିଲେ । ଦିନିକିଆରେ ସବୁଠୁ ଅଧିକ ରନ୍ କରିଛନ୍ତି ସଚିନ ତେନ୍ଦୁଲକର । ତେନ୍ଦୁଲକର ୧୮୪୨୬ ରନ୍ କରିଛନ୍ତି । ଦ୍ବିତୀୟରେ ଶ୍ରୀଲଙ୍କାର କୁମାର ସଙ୍ଗକରା (୧୪୨୩୪), ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୩୭୦୪), ଶ୍ରୀଲଙ୍କାର ସନଥ ଜୟସୁରିଆ (୧୩୪୩୦) ଏବଂ ମହେଲା ଜୟବର୍ଦ୍ଧନେ (୧୨୬୫୦), ଓ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ୍-ହକ୍ (୧୧୭୩୯) ରନ୍ କରିଛନ୍ତି । ସବୁଠୁ ଅଧିକ ରନ୍ କରିଥିବା ଭାରତୀୟଙ୍କ ତାଲିକାରେ ସଚିନ ତେନ୍ଦୁଲକରଙ୍କ ପରେ ସୌରଭ ଗାଙ୍ଗୁଲି (୧୧୩୬୩), ରାହୁଲ ଦ୍ରାବିଡ (୧୦୮୮୯), ମହେନ୍ଦ୍ର ସିଂ ଧୋନି (୧୦୧୨୩) ରନ୍ କରିଛନ୍ତି । ୧୦ ହଜାର କ୍ଲବ୍‌ରେ ସାମିଲ ହେବାକୁ କୋହଲିଙ୍କୁ ୧୦ବର୍ଷ ୬୭ଦିନ ଲାଗିଥିବା ବେଳେ ତେନ୍ଦୁଲକରଙ୍କୁ ୧୧ବର୍ଷ ୧୦୩ ଦିନ ଲାଗିଥିଲା । ସେହିଭଳି ସୌରଭ ଗାଙ୍ଗୁଲି ଏହି କ୍ଲବ୍‌ରେ ସାମିଲ ହେବାକୁ ୨୭୨ଟି ଦିନିକିଆରୁ ୨୬୬ ଇନିଂସ ଖେଳିଛନ୍ତି । ତେବେ ଦାଦାଙ୍କୁ ଲାଗିଥିଲା ୧୩ ବର୍ଷ ୨୦୪ ଦିନ । ବିରାଟଙ୍କୁ ମିଶାଇ ୧୦ ହଜାର ରନ୍‌ କ୍ଲବ୍‌ରେ ଭାରତର ୫ଜଣ ବ୍ୟାଟସମ୍ୟାନ୍ ଅଛନ୍ତି । ଦ୍ରାବିଡ୍‌ ୩୦୯ଟି ଦିନିକିଆରୁ ୨୮୭ ଇନିଂସ୍‌ ଖେଳି ୧୦ ହଜାର ରନ୍ କ୍ଲବ୍‌ରେ ସାମିଲ ହୋଇଥିବା ବେଳେ ଧୋନୀଙ୍କୁ ଏଥିପାଇଁ ଖେଳିଛନ୍ତି ୩୨୦ ଦିନିକିଆ ୨୭୩ ଇନିଂସ୍‌ । ଗତ ମ୍ୟାଚ୍‌ରେ ଶତକ ମାରିଥିବା ବିରାଟ ଆଜି ମ୍ୟାଚ୍‌ରେ ବି ଶତକ ମାରିଛନ୍ତି । ସେ ଆଜି ୧୫୭ ରନ୍‌ର ଅପରାଜିତ ପାଳି ଖେଳିଥିବା ବେଳେ ତାଙ୍କ ଦିନିକିଆ ଶତକ ସଂଖ୍ୟା ୩୭ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.