୫୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଧୋନୀଙ୍କୁ ମଧ୍ୟ ପଛରେ ପକାଇଲେ
18/12/2020 at 9:49 AM

ଆଡିଲେଡ,୧୮/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ଏକ ରେକର୍ଡ ଭାଙ୍ଗିଛନ୍ତି । ଏହି ଦିବାରାତ୍ର ଟେଷ୍ଟ ମ୍ୟାଚରେ ଅଧିନାୟକ କୋହଲି ପୂର୍ବତନ ଅଧିନାୟକ ମନସୁର୍ ଅଲ୍ଲୀ ଖାନ ପଟୌଦିଙ୍କୁ ପଛରେ ପକାଇ ଦେଇଛନ୍ତି । କରୋନା ଭାଇରସ ପାଇଁ ଦୀର୍ଘ ଦିନ ଧରି କ୍ରିକେଟରୁ ଦୂରରେ ଥିବା କୋହଲି ତମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ୭୪ ରନ୍ର ଇନିଂସ ଖେଳିଥିଲେ ।
କ୍ରିକେଟର ସମସ୍ତ ଫର୍ମାଟରେ ଦବଦବା ଜାହିର କରିଥିବା ବିରାଟ କୋହଲି ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇବା ସହ ମନସୁର୍ ଅଲ୍ଲୀ ଖାନ ପଟୌଦିଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି । ୩୨ ବର୍ଷୀୟ ବିରାଟ ଏହି ଟେଷ୍ଟରେ ଆକର୍ଷଣୀୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।
ଏହି ରନ୍ ସହ କୋହଲି ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ରନ୍ କରିଥିବା ଭାରତୀୟ ଅଧିନାୟକ ହୋଇଛନ୍ତି । ବିରାଟ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫୧ ରନ୍ କରିଥିବା ବେଳେ ମନସୁର୍ ୮୨୯ ରନ୍ କରିଥିଲେ । ସେହିପରି ମହେନ୍ଦ୍ର ସିଂ ଧୋନୀ ମଧ୍ୟ. ୮୧୩ ରନ୍ କରିଥିଲେ । ମନସୁରଙ୍କ ରେକର୍ଡ ୫୧ ବର୍ଷ ପରେ ଭାଙ୍ଗିଛି ।
ସୂଚନାଯୋଗ୍ୟ, ଆଡିଲେଡରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନ ଦଳ ପାଇଁ ଖରାପ ଥିଲା । ଓପନର ପୃଥ୍ୱୀ ଶ ୦ ଓ ମୟଙ୍କ ଅଗ୍ରଓ୍ୱାଲ ୧୭ ରନ୍ କରି ଆଉଟ ହୋଇଥିଲେ । ତେବେ ବିରାଟ ଓ ଆଜିଙ୍କ୍ୟ ରାହାଣେ ସ୍ଥିତି ସମ୍ଭାଳିଥିଲେ । ବିରାଟ ୭୪ ରନ୍ କରି ଆଉଟ ହୋଇଥିଲେ । ଭାରତ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୬ ଓ୍ୱିକେଟ୍ ବିନିମୟରେ ୨୩୩ ରନ୍ କରିଛି ।