‘ବିରାଟଙ୍କୁ ବୟସ ହୋଇଗଲାଣି, ଆଖିକୁ ଠିକସେ ଦେଖାଯାଉନି’, ଏମିତି କାହିଁକି କହିଲେ କପିଲ ଦେବ ?
3/03/2020 at 2:40 PM

ନୂଆଦିଲ୍ଲୀ ମାର୍ଚ୍ଚ ୦୩: ଟି୨୦ ସିରିଜରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫-୦ରେ ବିଜୟ ଲାଭ କରିଥିଲେ ମଧ୍ୟ ଟେଷ୍ଟ ଓ ଦିନିକିଆ ସିରିଜରେ ଯଥାକ୍ରମେ ୨-୦ ଓ ୩-୦ରେ ପରାସ୍ତ ହୋଇଛି। ଯାହାକୁ ନେଇ ଅଧିନାୟକ ବିରାଟ କୋହଲିଙ୍କୁ ଅନେକ ପୂର୍ବତନ କ୍ରିକେଟର ସମାଲୋଚନା କରୁଛନ୍ତି। ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତ ୭ ଓ୍ୱିକେଟରେ ପରାସ୍ତ ହେବା ପରେ କପିଲ ଦେବ ଦଳର ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

କପିଲ ଦେବ କହିଛନ୍ତି ଯେ, ବିରାଟ କୋହଲି ଏବେ ଧିମା ହୋଇଯାଇଛନ୍ତି। ଯେତେବେଳେ ୩୦ ବର୍ଷ ଅତିକ୍ରମ ହୋଇଯାଏ ସେତେବେଳେ ଆଖିକୁ ଭଲରେ ଦେଖାଯାଏ ନାହିଁ। ସ୍ୱିଂଙ୍ଗ୍ ହେଉଥିବା ବଲକୁ ଖେଳିବାରେ ବିରାଟ ଫ୍ଲପ୍ ହେଉଛନ୍ତି। ପୂର୍ବରୁ ଏହି ବଲରେ ସେ ଚୌକା ଲଗାଉଥିଲେ। ଏବେ ସେହି ବଲରେ ସେ ଆଉଟ ହେଉଛନ୍ତି। ସେ ତାଙ୍କ ଆଖିର ପରୀକ୍ଷା କରିବା ଉଚିତ। ଯେତେବେଳେ ବଡ ଖେଳାଳି ବୋଲ୍ଡ୍ କିମ୍ବା ଏଲବିଡବଲ୍ୟୁ ହୁଅନ୍ତି ତେବେ ସେମାନେ ଅଧିକ ଅଭ୍ୟାସ ଉପରେ ଧ୍ୟାନ ଦେବା ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ, ୧୮ରୁ ୨୪ ବର୍ଷ ବୟସ ଯାଏଁ ଆଖି ଭଲରେ କାମ କରିଥାଏ। ବିରେନ୍ଦ୍ର ସେହ୍ୱାଗ, ଭିଭି ରିଚାର୍ଡସ ଓ ରାହୁଲ ଦ୍ରାବିଡଙ୍କ ଭଳି ଖେଳାଳି ମଧ୍ୟ ନିଜ କ୍ୟାରିଅରରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ବିରାଟ ଅଧିକ ପ୍ରାକ୍ଟିସ ଉପରେ ଧ୍ୟାନ ଦେବା ଆବଶ୍ୟକ।