ବିରାଟ କୋହଲି ଓ ରବି ଶାସ୍ତ୍ରୀ ଚୟନକର୍ତ୍ତାଙ୍କଠୁ ମଧ୍ୟ ଉପରେ ! ଏହି ଖେଳାଳିକୁ ଦଳରେ ରଖିବାକୁ କଲେ ଦାବି, ବାକି କରିବେ କଣ ?

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ ୦୩।୦୭: ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ ଭାରତ ପାଇଁ ମହତ୍ଵପୂର୍ଣ୍ଣ। କାରଣ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଦ୍ଵିତୀୟ ସଂସ୍କରଣର ଏହା ପ୍ରଥମ ସିରିଜ୍। ଦଳ ବିଜୟ ସହ ସିରିଜ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଶୁବମାନ ଗିଲ୍ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ଥାନରେ ପୃଥ୍ଵୀ ସଙ୍କୁ ଦଳରେ ସାମିଲ୍ କରାଯାଇପାରେ।

ଚୟନକର୍ତ୍ତା ଏହା ପୂର୍ବରୁ ଇଂଲଣ୍ଡ ଗସ୍ତ ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ପାଇଁ ଚୟନକର୍ତ୍ତା ଦଳରେ ପୃଥ୍ଵୀ ସଙ୍କୁ ସାମିଲ କରିନଥିଲେ। ସଙ୍କୁ ଚୟନ କରାନଯିବାର କାରଣ ତାଙ୍କର ଓଜନ ବହୁତ ଥିଲା। ୨୧ ବର୍ଷୀୟ ସଙ୍କୁ ଓଜନ କମାଇବାକୁ କୁହାଯାଇଥିଲା ଏବଂ ସେତେବେଳେ ତାଙ୍କୁ ଅନଫିଟ୍ ଘୋଷିତ କରାଯାଇଥିଲା। କିନ୍ତୁ ଏବେ ପୃଥ୍ଵୀ ସଙ୍କୁ ଇଂଲଣ୍ଡ ପଠାଯିବା ଖବର ସାମ୍ନାକୁ ଆସୁଛି। ବାସ୍ତବରେ ତାଙ୍କୁ କିଏ ଦଳରେ ସାମିଲ କରାଇବାକୁ ଚାହୁଁଛି। ଦଳ ପ୍ରବନ୍ଧକ କଥା କୁହାଗଲେ, ଅଧିନାୟକ ଓ କୋଚ୍ ହିଁ ଏହି ନିର୍ଣ୍ଣୟ ନେଇଥାନ୍ତି। କଣ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ସଙ୍କୁ ଦଳରେ ସାମିଲ କରାଇବାକୁ ଦାବି କରିଛନ୍ତି। କଣ ବିରାଟ କୋହଲି ଓ ରବି ଶାସ୍ତ୍ରୀ ଚୟନକର୍ତ୍ତାଙ୍କଠୁ ଉପରେ ?

କମିବ ଖେଳାଳିଙ୍କ ମନୋବଳ

ଦଳ ସହିତ ଏବେ ଇଂଲଣ୍ଡରେ ଓପନର ଭାବେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଅଛନ୍ତି। ଏହା ବ୍ୟତୀତ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ଅଭିମନ୍ୟୁ ଈଶ୍ଵରନ ଅଛନ୍ତି। ଏମିତିରେ ଏହି ତିନି ଖେଳାଳି ଥିବା ସତ୍ତ୍ଵେ ବି ପୃଥ୍ଵୀଙ୍କୁ ଦଳରେ ସାମିଲ କରାଯିବାର ଅର୍ଥ ବୁଝି ହେଉନାହିଁ। ଯଦି ଏମିତି ହୁଏ ତେବେ ବାକି ଖେଳାଳିଙ୍କ ମନୋବଳ କମିବ। ଓପନର ଭାବେ ମୟଙ୍କ ଅଗ୍ରଓ୍ଵାଲ ୧୩ଟି ଟେଷ୍ଟରେ ୨୧ଟି ଇନିଂସରୁ ୪୫ରୁ ଉର୍ଦ୍ଧ୍ଵ ହାରରେ ୧୦୦୫ ରନ କରିଛନ୍ତି। ଅନ୍ୟପଟେ ରାହୁଲ ଓପନର ଭାବେ ୩୩ଟି ଟେଷ୍ଟର ୫୪ଟି ଇନିଂସରୁ ୩୭  ହାରରେ ୧୯୧୫ ରନ କରିଛନ୍ତି। ଅଭିମନ୍ୟୁ ଈଶ୍ଵରନଙ୍କ ଅନ୍ତର୍ଜାତୀୟ ପଦାର୍ପଣ ବାକି ରହିଛି।

ସ ଏବେ ଶ୍ରୀଲଙ୍କାରେ

ଭାରତୀୟ ଦଳର ଓପନର ବ୍ୟାଟସମ୍ୟାନ ପୃଥ୍ଵୀ ସ ବର୍ତ୍ତମାନ ଶ୍ରୀଲଙ୍କାରେ ଅଛନ୍ତି। ସଂପ୍ରତି ଭାରତର ଦୁଇଟି ଦଳ କ୍ରିକେଟ୍ ଖେଳୁଛନ୍ତି। ଗୋଟିଏ ଦଳ ଇଂଲଣ୍ଡରେ ଥିବା ବେଳେ ଅନ୍ୟ ଦଳ ଶ୍ରୀଲଙ୍କାରେ। ଏବେ ଦେଖିବା ବାକି ରହିଲା ଯେ, ପୃଥ୍ଵୀ ସଙ୍କୁ ଶ୍ରୀଲଙ୍କା ସିରିଜ୍ ଆରମ୍ଭରୁ ନା ମଝିରେ ଇଂଲଣ୍ଡ ପଠାଯାଉଛି। ଶ୍ରୀଲଙ୍କାରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ଜୁଲାଇ ୧୩ରୁ ଆରମ୍ଭ ହେଉଥିବା ସିରିଜ୍ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭାରତୀୟ ଦଳ ଇଂଲଣ୍ଡରେ ୬୩ଟି ଟେଷ୍ଟ ଖେଳି ୩୫ଟିରେ ପରାଜିତ ହୋଇଛି। ଦଳ ମାତ୍ର ୭ଟିରେ ବିଜୟୀ ହୋଇଥିବା ବେଳେ ୨୧ଟି ମ୍ୟାଚ୍ ଡ୍ର ରହିଛି। ଗତ ୨୦୧୮  ଗସ୍ତରେ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍‌ର ଟେଷ୍ଟ ସିରିଜରେ ୪-୧ରେ ପରାଜିତ ହୋଇଥିଲା। ତେଣୁ ଏଥର ବିରାଟ କୋହଲି ହିସାବ ବରାବର କରିବାକୁ ଚାହିଁବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.