କମି ଯିବ କି ବ୍ରାଣ୍ଡ ଭେଲ୍ୟୁ ? ସେଥିପାଇଁ ଦିନିକିଆ ଦଳର ଅଧିନାୟକ ପଦ ଛାଡିଲେ ନାହିଁ କୋହଲି: ରିପୋର୍ଟ

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଲୀ ୧୮।୦୯: ବିଶ୍ଵର ତାରକା ବ୍ୟାଟସମ୍ୟାନ  ବିରାଟ କୋହଲି ଟି-୨୦ ବିଶ୍ଵ କପ୍‌ ପରେ ଭାରତୀୟ କ୍ରିକେଟ୍‌ର ଟି-୨୦ ଫର୍ମାଟ୍‌ରେ ଦଳର ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଯେବେଠୁ ସେ ସାମାଜିକ ଗଣମାଧ୍ୟମରେ ଏହାର ଘୋଷଣା କରିଛନ୍ତି ତେବେଠୁ ଚର୍ଚ୍ଚାରେ ରହି ଆସିଛନ୍ତି। କିଛି କ୍ରିକେଟ୍ ବିଶେଷଜ୍ଞଙ୍କ କହିବା କଥା ତାଙ୍କର ଏକ ଦିବସୀୟ ଅଧିନାୟକତ୍ଵ ମଧ୍ୟ ବିପଦରେ ମଧ୍ୟ ରହିଛି। ଯଦି ଭାରତ ଟି-୨୦ ବିଶ୍ଵ କପ୍ ଜିତିବାରେ ବିଫଳ ହୁଏ ତେବେ ଦିନିକିଆ ଦଳର ଅଧିନାୟକ ପଦ ପରିବର୍ତ୍ତନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ଏହା ବ୍ୟତୀତ ଆଉ କିଛି ଲୋକଙ୍କ କହିବା କଥା କୋହଲିଙ୍କୁ ସୀମିତ ଓଭର କ୍ରିକେଟ୍‌ରୁ ଦଳର ଅଧିନାୟକ ପଦ ଛାଡିଦେବା ଉଚିତ୍। ଏକ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ବିରାଟ ଦିନିକିଆ ଅଧିନାୟକ ପଦ ଏଥିପାଇଁ ଛାଡିଲେ ନାହିଁ କାରଣ ତାଙ୍କୁ ନିଜର ବ୍ରାଣ୍ଡ ଭେଲ୍ୟୁକୁ ନେଇ ବିପଦ ଥିଲା।

'ଦ ଟେଲିଗ୍ରାଫ'ର ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ବିରାଟ କୋହଲି ଦିନିକିଆ ଦଳର ଅଧିନାୟକ ଏଥିପାଇଁ ଜାରି ରଖିବାକୁ ଚାହୁଁଛନ୍ତି, କାରଣ ଧଳା ବଲ୍ କ୍ରିକେଟ୍‌ରୁ ଅଧିନାୟକ ପଦ ଛାଡି ଦେଲେ ଏହା ତାଙ୍କର ବ୍ରାଣ୍ଡ ଭେଲ୍ୟୁ ଉପରେ ପ୍ରଭାବ ପକାଇବ। ହେଲେ ଆଉ କିଛି ବିଶେଷଜ୍ଞ ଏହି ଧରଣର ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ବ୍ରାଣ୍ଡ ଭେଲ୍ୟୁ କେବେ ବି ପ୍ରଭାବିତ ହୋଇ ନାହିଁ। ସେ ଅବସର ନେବା ପରେ ମଧ୍ୟ ଅନେକ ବଡ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି।

କ୍ରିଏଟିଜ୍ କମ୍ୟୁନିକେସନର ସଂସ୍ଥାପକ ଓ ପ୍ରବନ୍ଧ ନିର୍ଦ୍ଦେଶକ ନରୋଜ ଡି ଢୋଣ୍ଡି କହିଛନ୍ତି, ସଚିନ ତେନ୍ଦୁଲକରଙ୍କ ସହିତ ଏମିତି ସ୍ଥିତି କେବେ ଉପୁଜି ନାହିଁ। ତାଙ୍କ ସମର୍ଥକରେ କେବେ ମଧ୍ୟ ହ୍ରାସ ଘଟିନାହିଁ। ଯେବେ ସେ ଅଧିନାୟକ ପଦ ଛାଡିଲେ ତେବେ ମଧ୍ୟ ସଚିନଙ୍କ ବ୍ରାଣ୍ଡ୍ କମିବା ପରିବର୍ତ୍ତେ ବଢି ଚାଲିଥିଲା। ଆଉ ଏହା କୋହଲିଙ୍କ ଉପରେ ମଧ୍ୟ ଲାଗୁ ହେଉଛି। ଯଦି ସେ ଦିନିକିଆରୁ ଅଧିନାୟକ ପଦ ଛାଡି ଦିଅନ୍ତି ତେବେ ତାଙ୍କର ବ୍ରାଣ୍ଡ ଭେଲ୍ୟୁରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.