ରୋହିତଙ୍କ ନେତୃତ୍ଵରେ ବୋଲିଂ କଲେ ବିରାଟ କୋହଲି, ବିଶ୍ଵ କପରେ ଦଳର ହୋଇ ପାରନ୍ତି ଷଷ୍ଠ ବୋଲର

Published By : Prameya-News7 Bureau | October 20, 2021 IST

ଦୁବାଇ ୨୦।୧୦: ଟି-୨୦ ବିଶ୍ଵ କପ୍‌ର ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚ୍‌ରେ ବିରାଟ କୋହଲି ବୋଲିଂ କରିଛନ୍ତି। ମଜାଦାର କଥା ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଦଳର ନେତୃତ୍ଵ ନେଇଛନ୍ତି। କୋହଲି ଅଷ୍ଟ୍ରେଲିଆ ଇନିଂସର ସପ୍ତମ ଏବଂ ୧୩ତମ ଓଭର  ବୋଲିଂ କରିଛନ୍ତି। ଏହି ଦୁଇ ଓଭରରେ ସେ ମାତ୍ର ୧୨ ରନ ଦେଇଛନ୍ତି।

ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ବିରାଟ ଭାରତର ଷଷ୍ଠ ବୋଲର ହୋଇ ପାରନ୍ତି। କୋହଲି ଏହା ପୂର୍ବରୁ ମଧ୍ୟ ଟି-୨୦  ବିଶ୍ଵ କପ୍‌ରେ ବୋଲିଂ କରି ସାରିଛନ୍ତି। ଏଥର ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ଫିଟ୍ ନଥିବା ବେଳେ ବୋଲିଂ ମଧ୍ୟ କରୁ ନାହାନ୍ତି। ଏହି କାରଣରୁ ଷଷ୍ଠ  ବୋଲରର ଦାୟିତ୍ଵ କୋହଲି ଖୋଦ୍ ନିଜ କାନ୍ଧରେ ନେଇ ପାରନ୍ତି।

କୋହଲି ବୋଲିଂ କଲେ ଇଶାନ କିଶନଙ୍କୁ ମିଳିପାରେ ସୁଯୋଗ

ବିରାଟ କୋହଲି ବୋଲିଂ କଲେ ଭାରତୀୟ ଦଳରେ ଇଶାନ କିଶନଙ୍କୁ ସ୍ଥାନ ମିଳିପାରେ। ଇଶାନ ନିକଟରେ ସଂପନ୍ନ ଆଇପିଏଲର ଶେଷ ଦୁଇଟି ମ୍ୟାଚ୍‌ରେ ଓପନିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ୍ ମ୍ୟାଚ୍‌ରେ ଓପନିଂ କରି ଜବରଦସ୍ତ ୭୦ ରନର ଇନିଂସ ଖେଳିଥିଲେ। ଏମିତିରେ କୋହଲି କିଶନଙ୍କୁ ତୃତୀୟରେ ସୁଯୋଗ ଦେଇ ନିଜେ ଚତୁର୍ଥରେ ବ୍ୟାଟିଂ କରି ପାରନ୍ତି।

ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ ଏବଂ କୋହଲି ବୋଲିଂରେ ଷଷ୍ଠ ବିକଳ୍ପ ହୋଇ ପାରନ୍ତି। ରୋହିତ କୋହଲିଙ୍କୁ ବୋଲିଂ ଦେବା ଭଲ ବିକଳ୍ପ ସାବ୍ୟସ୍ତ ହୋଇପାରେ। ଏମିତି ହେଲେ ଭାରତକୁ କିଶନଙ୍କ ରୂପେ ଜଣେ ଅତିରିକ୍ତ ବ୍ୟାଟସମ୍ୟାନ ମିଳିଯିବ ଏବଂ ଦଳ ଆହୁରି ସନ୍ତୁଳିତ ହୋଇଯିବ।

ଯଦି କୋହଲି  ବୋଲିଂ କରନ୍ତି ତେବେ ଏମିତି ହୋଇପାରେ ଭାରତୀୟ ଚୂଡାନ୍ତ ଏକାଦଶ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ/ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର/ଭୁବନେଶ୍ଵର କୁମାର।

ହାର୍ଦ୍ଦିକ ଖେଳିଲେ ଏମିତି ହୋଇପାରେ ଚୂଡାନ୍ତ ଏକାଦଶ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ/ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର/ଭୁବନେଶ୍ଵର କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.