Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ଼ ସମ୍ପର୍କରେ ଭୁଲ୍‌ ତଥ୍ୟର ଭିଡ଼ିଓ : ଓଟିଭି ମାଗିଲା ସାତଦିନ ମହଲତ

9/08/2020 at 2:20 PM

ଭୁବନେଶ୍ୱର ୦୯।୦୮: କୋଭିଡ ହସ୍ପିଟାଲ ସମ୍ପର୍କରେ ମିଛ ଖବର ପ୍ରସାରଣ ପ୍ରସଙ୍ଗରେ କ୍ୟାପିଟାଲ୍‌ ଥାନାରେ ହାଜର ହୋଇନାହାନ୍ତି ଓଟିଭି (ଓଡ଼ିଶା ଟେଲିଭିଜନ୍‌) ନ୍ୟୁଜ୍‌ ଚ୍ୟାନେଲ ପରିଚାଳକ । ନିଜ ପକ୍ଷ ରଖିବା ପାଇଁ ଚ୍ୟାନେଲ ପକ୍ଷରୁ ୭ ଦିନ ସମୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ଚ୍ୟାନେଲ୍‌ର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ପରିଡ଼ା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସଂପୃକ୍ତ ଚ୍ୟାନେଲ ଏହି ମହଲତ ମାଗିଥିବା ଜଣାପଡ଼ିଛି । ହେଲେ ପୁଲିସ ୭ ଦିନ ମହଲତ ନଦେଇ ରବିବାର ଦିନ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ସମୟ ମଧ୍ୟରେ ନ ପହଞ୍ଚିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍‌ ପୁଲିସ ସ୍ପଷ୍ଟ କରିଛି । ଓଟିଭି ମିଥ୍ୟା ଖବର ପ୍ରସାର କରୁଛି ବୋଲି ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ବିଏମ୍‌ସି । ଅଭିଯୋଗ ଆଧାରରେ ସମ୍ପୃକ୍ତ ଚ୍ୟାନେଲକୁ ନୋଟିସ୍‌ କରିଥିଲା ପୁଲିସ୍‌ ।

ଓଟିଭିର ସ୍ପଷ୍ଟୀକରଣ

ଘଟଣାରେ ସ୍ପଷ୍ଟୀକରଣ ଦେଇ ଓଟିଭି କହିଛି, ଅଗଷ୍ଟ ୬ ତାରିଖରେ ଏକ ଅଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା । ଉକ୍ତ ଅଡିଓରେ ଜଣେ କରୋନା ରୋଗୀ ନିଜ ବନ୍ଧୁଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ରହିବା ସମୟରେ ନିଜ ଅନୁଭୁତି ବର୍ଣ୍ଣନା କରୁଛନ୍ତି । ଏ ଖବର ପ୍ରସାରଣ ସମୟରେ ଏହା ଏକ ଭାଇରାଲ୍‌ ଅଡିଓ ବୋଲି ଓଟିଭି ସ୍ପଷ୍ଟ କରିଥିଲା । ଏସମ୍ପର୍କରେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । ପ୍ରତିକ୍ରିୟା ହସ୍ତଗତ ହେଲେ, ଆମେ ଏହାକୁ ତୁରନ୍ତ ପୋଷ୍ଟ କରିବୁ । କୋଭିଡ୍‌ ସମୟରେ ସମସ୍ତ ସରକାରୀ ତଥ୍ୟ ଓ ସୂଚନାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସମସ୍ୟା ବ୍ୟବସ୍ଥା ନିକଟରେ ପହଞ୍ଚାଇବା ଯେକୌଣସି ଗଣମାଧ୍ୟମର କର୍ତ୍ତବ୍ୟ । ଆମେ ଆମ ଦାୟିତ୍ୱ, କର୍ତ୍ତବ୍ୟରୁ କେବେ ବିଚ୍ୟୁତି ହୋଇନାହୁଁ ବୋଲି ଓଟିଭି ସ୍ପଷ୍ଟ କରିଛି ।

   Related Posts