ଭୁବନେଶ୍ୱର କିଟ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, ୫ ଅଟକ

Published By : Prameya-News7 Bureau | November 25, 2018 IST

ଭୁବନେଶ୍ୱର ୨୫/୧୧ : ଭୁବନେଶ୍ୱର କିଟ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି | ଗଣ୍ଡଗୋଳରେ ୪୦ ଛାତ୍ର ଆହତ ହୋଇଛନ୍ତି | ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଘଟଣାସ୍ଥଳରେ ପହଂଚି କମିଶନରେଟ ପୋଲିସ ୫ଜଣ ଛାତ୍ରଙ୍କୁ ଅଟକ ରଖିଛି | ଗଣ୍ଡଗୋଳ କରିଥିବା ଦୁଇ ଗୋଷ୍ଠୀ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ | ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଜଣେ ଆଇନ ଛାତ୍ରୀ ବାହାରକୁ ଯାଉଥିବାବେଳେ ତାଙ୍କ ପିନ୍ଧିଥିବା ଡ୍ରେସକୁ ନେଇ ଇଂଜିନିୟରିଂ ଦ୍ୱିତୀୟ ବର୍ଷର ଦୁଇ ଜଣ ଛାତ୍ର ତାଙ୍କୁ କମେଣ୍ଟ କରିଥିଲେ | କମେଣ୍ଟ ଶୁଣି ଛାତ୍ରୀ ଜଣକ ରାଗିଯାଇ ନିଜ ପ୍ରେମିକକୁ ଘଟଣା ସମ୍ପର୍କରେ ଜଣେଇଥିଲେ | ଶନିବାର ଦିନ ଆଇନ ଛାତ୍ରୀ ଏବଂ ତାଙ୍କର ସହପାଠୀମାନେ ବି.ଟେକ ହଷ୍ଟେଲ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ଉକ୍ତ ଛାତ୍ରଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ | ତେବେ ବି.ଟେକ ଛାତ୍ର ଜଣକ କ୍ଷମା ମଧ୍ୟ ମାଗିଥିଲେ | କିନ୍ତୁ ଏତିକିରେ ସରିନଥିଲା | ପରଦିନ ବହୁ ସଂଖ୍ୟକ ବି.ଟେକ ଛାତ୍ର ବାଡ଼ି, ଠେଙ୍ଗା, ବିଆର ବୋତଲ, କ୍ରିକେଟ ବ୍ୟାଟ ଏବଂ ଛୁରୀ ଧରି ଆଇନ ଛାତ୍ରଙ୍କ ହଷ୍ଟେଲ ମଧ୍ୟକୁ ସଂଘବଦ୍ଧ ଭାବେ ପଶିଥିଲେ | ହଷ୍ଟେଲ ରୁମ ଭିତରେ ପଶି ପିଲାଙ୍କୁ ଆକ୍ରମଣ କରିଥିଲେ | ପାଖାପାଖି ଘଣ୍ଟେ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିଲା | କଲେଜର କିଛି ଛାତ୍ର ଏବଂ କର୍ତ୍ତୃପକ୍ଷଙ୍କ ସୂଚନା ପାଇ ପ୍ରାୟ ଦେଢ଼ ଘଣ୍ଟା ପରେ ପୋଲିସ କଲେଜରେ ପହଞ୍ଚିଥିଲା | ଉଭୟ ଗୋଷ୍ଠୀର ପାଖାପାଖି ୪୦ ଜଣ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି | ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି |ଗଣ୍ଡଗୋଳ ପରେ ଆଜି ସକାଳେ ସାଏନ-ଏ-ଡାଏ ଘୋଷଣା କରି ଉଭୟ ଆଇନ ଏବଂ ବି.ଟେକ ଛାତ୍ରଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି | କମେଣ୍ଟ ଶୁଣିଥିବା ଉକ୍ତ ଆଇନ ଛାତ୍ରୀ ବର୍ତ୍ତମାନ ଫେରାର ଥିବା ଜଣାପଡିଛି |କଲେଜ କ୍ୟାମ୍ପସରେ ଏବେବି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇ ରହିଛନ୍ତି । ତେବେ ଏସମସ୍ତ ଘଟଣା ସିସି ଟିଭି କଏଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.