Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫନିର ଭୟଙ୍କର ରୂପ: ୨୦୦ରୁ ୨୪୦ କିଲୋମିଟରର ବେଗରେ ବହିଲା ପବନ, ୩ ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିସ୍ତାର ନାହିଁ

3/05/2019 at 12:52 PM

ଭୁବନେଶ୍ୱର ୩|୫: ଅତି ଭୀଷଣ ବାତ୍ୟା ‘ଫୋନି’ର ଭୟଙ୍କର ରୂପ । ଉପକୂଳ ଓଡ଼ଶାରେ ତାଣ୍ଡବର ଚିତ୍ର । ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଅତି ଭୟାନକ ବେଗରେ ବହୁଛି ପବନ । ସକାଳ ସାଢେ ୮ଟା ବେଳେ ଉପକୂଳକୁ ଛୁଇଁବା ପରଠାରୁ ଅଶାନ୍ତ ହୋଇଯାଇଛି ଏହି ୩ ଜିଲ୍ଲା । ପବନର ତୀବ୍ରତା ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ରହିଛି । ବେଳେବେଳେ ଏହା ୨୦୦ରୁ ୨୪୦ କିଲୋମିଟରର ବେଗକୁ ବି ଅତିକ୍ରମ କରିଥିବାର ସୂଚନା ମିଳିଛି । ବର୍ଷାର ପରିମାଣ ମଧ୍ୟ ବେଶ୍ ଅଧିକ ରହିଛି । ଗଛ ଗୁଡ଼ିକ ଉପୁଡ଼ି ପଡ଼ିଛି । ବିଦ୍ୟୁତ ଖୁଣ୍ଟ ରାସ୍ତା ଉପରେ ପଡ଼ି ରହିଛି ।

୩ ଜିଲ୍ଲାରେ ଅତ୍ୟନ୍ତ ଭୟଙ୍କର ଚିତ୍ର ରହିଛି । ଏବେ ବି ବାତ୍ୟାର ଭୟାବହତା ଜାରି ରହିଥିବାରୁ କ୍ଷୟକ୍ଷତିର ଆକଳନ ସଂପୂର୍ଣ୍ଣ କରା ଯାଇ ପାରିନାହିଁ । ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲା । କେତେକ ସ୍ଥାନରେ କଚ୍ଚା ଘର ଓ ଆଜବେଷ୍ଟସ ଘର ସଂପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି । ଏହା ସହ ସାକ୍ଷୀଗୋପାଳରୁ ଜଣଙ୍କ ମୃତ୍ୟୁର ଖବର ମଧ୍ୟ ଆସୁଛି । ହିରଣ୍ୟପଡ଼ା ଗାଁରେ ନଡ଼ିଆ ଗଛ ପଡ଼ିବାରୁ ଜଣେ ୧୮ ବର୍ଷ ଯୁବକର ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ମଧ୍ୟ ଫୋନିର ପ୍ରଭାବ ଅତ୍ୟନ୍ତ ସଂଗୀନ ରହିଛି । ପବନର ବେଗ ଘଣ୍ଟା ପ୍ରତି ଦେଢ ଶହ କିଲୋମିଟର ଟିପିଛି ।  ବେଳେବେଳେ ଏହା ୨୦୦ କିଲୋମିଟର ଟପିଛି । ଉଠାଦୋକାନୀଠାରୁ ନେଇ ଏନଏଚ କଡ଼ ଗଛ ଗୁଡ଼ିକ ଛାରଖାର ହୋଇଯାଇଛି ।

ମୁଖ୍ୟ ରାସ୍ତାଗୁଡ଼ିକ ଅବରୋଧ ହୋଇ ରହିଛି । ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନେକ ବସ୍ତିବାସିନ୍ଦାଙ୍କ ଘର ଭାଂଗି ଯାଇଛି । ଯାହା ଆକଳନ କରାଯାଉଥିଲା ତାହାଠାରୁ ଅଧିକ ତାଣ୍ଡବ ରଚିଛି ଅତି ଭୀଷଣ ବାତ୍ୟା ଫୋନି । ଆଜି ସଂଧ୍ୟା ଯାଏଁ ଏଭଳି ପ୍ରଳୟ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ତେବେ ଗଂଜାମ, ପୁରୀ,  ଖୋର୍ଦ୍ଧା ପରେ ଏହା ଏବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇଛି ।

ତେଣୁ ଏହା ପରେ ସେହି ସବୁ ଜିଲ୍ଲା ଗୁଡ଼ିକରେ ମଧ୍ୟ ଫୋନିର ପ୍ରଭାବ ବଢିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହି ପରିସ୍ଥିତିର ମୁକାବିଲା ଲାଗି ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ କର୍ମଚାରୀ ମାନେ ଉପକୂଳ ଜିଲ୍ଲା ଗୁଡ଼ିକରେ ମୁତୟନ ହୋଇଛନ୍ତି । କୌଣସି ପ୍ରକାର ଅସୁବିଧା ଥିଲେ ସାଧାରଣ ଲୋକେ ସହାୟତା ଲାଗି ଏସଆରସିଙ୍କ ଟୋଲ ଫ୍ରି ନମ୍ବର ୧୦୭୦କୁ କଲ୍ କରିପାରିବେ ।

   Related Posts