ପ୍ରଳୟ ରଚିଲା ସାମୁଦ୍ରିକ ବାତ୍ୟା ଫନି: ୨୨୦ କିମି ବେଗରେ ମାଡ ହେଲା ପବନ, ସବୁ ଛାରଖାର

Published By : Prameya-News7 Bureau | May 03, 2019 IST

ଭୁବନେଶ୍ବର ୩|୫: ଫନି ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିବା ଆରମ୍ଭ କରିଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ଢେଙ୍କାନାଳ, କଟକ ଆଦି ଜିଲ୍ଲାରେ ପ୍ରଳୟ ସୃଷ୍ଟି କରିଛି ଫନି। ପୁରୀରେ ୨୦୦କିମିରୁ ଅଧିକ ବେଗରେ ପବନ ବହିବା ଫଳରେ ବହୁ ଗଛ ଉପୁଡି ରାସ୍ତା ଉପରେ ପଡିଛି। ୨ ମିଟର୍‌ରୁ ଅଧିକ ଉଚ୍ଚର ଜୁଆର ଆସିବା ଫଳରେ ସମୁଦ୍ର ବତୀଘର ପର୍ଯ୍ୟନ୍ତ ମାଡି ଆସିଛି। ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଡି ରାସ୍ତା ଉପରେ ପଡିଛି ।

{"id":110167}

ବର୍ଷା ଓ ପବନର ତୀବ୍ରତା ଏତେ ରହିଛି ଯେ, ସବୁ ଛାରଖାର ହୋଇଯାଇଛି। ପୁରୀ ଭଳି ରାଜଧାନୀ ଭୁବନେଶ୍ବରର ପରିସ୍ଥିତି ଅତ୍ୟନ୍ତ ସ୍ବଚନୀୟ ହୋଇପଡିଛି। ରାଜଧାନୀରେ ଘଣ୍ଟାକୁ ୨୨୦ କିମି ବେଗରେ ପବନ ସହ ଭୀଷଣ ବର୍ଷା ପରିସ୍ଥିତିକୁ ଅଧିକ ସଂଗୀନ କରିଛି। ରାସ୍ତା କଡରେ ଥିବା ଅଧିକାଂଶ ଗଛ ଉପୁଡିପଡିଥିବାରୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

{"id":110168}

ହୋର୍ଡିଂ, ବିଜୁଳୀ ଖୁଣ୍ଟ, ବିଜୁଳୀ ତାର ଛିଡି ରାସ୍ତାରେ ପଡିଛି। ଅନେକ କଚ୍ଚା ଗରର ଛପର ଉଡିଯାଇଛି। ସମାନ ପରିସ୍ଥିତି ଉପୁଜିଛି କଟକ ମହାନଗର ନିଗମ ଅଞ୍ଚଳରେ । ଖୋର୍ଦ୍ଧା ଓ ଏହାର ଆଖ ପାଖ ଅଞ୍ଚଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରଚଣ୍ଡ ପବନ ଯୋଗୁଁ ଭୁବନେଶ୍ବରଠାରେ ଥିବା ନ୍ୟୁଜ୍‌ ସେଭେନ୍‌ କାର୍ଯ୍ୟାଳୟର ଛତ ଉଡିଯିବା ସହ ଅପଲିକିଂ ଆଣ୍ଟିନା ଭାଙ୍ଗିଯାଇଛି। ଫଳରେ ନ୍ୟୁଜ୍‌ ପ୍ରସାରଣ ସାମୟିକ ଭାବେ ବାଧା ପ୍ରାପ୍ତ ହୋଇଛି। ବହୁ ଘରର କାଚ ଝରକା ସବୁ ଭାଙ୍ଗି ଚୁରମାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.