ଆସାମ-ମିଜୋରାମ ସୀମାରେ ଘମାଘୋଟ୍ ସଂଘର୍ଷ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପହଞ୍ଚିଲା ମାମଲା

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯।୧୦: ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଆସାମ ଓ ମିଜୋରାମ ବର୍ଡରରେ ଉତ୍ତେଜନା ଦେଖା ଦେଇଛି। ମିଜୋରାମର କୋଲାସିବ ଜିଲ୍ଲା ଓ ଆସାମର କଛାର ଜିଲ୍ଲା ସୀମାରେ ସଂଘର୍ଷ ଘଟିଛି। ଅଧିକାରୀଙ୍କ ଅନୁଯାୟୀ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣା ପଡିଛି।

ମିଜୋରାମ ଗୃହ ମନ୍ତ୍ରୀ ଲାଲଚାମଲିୟାନ କହିଛନ୍ତି ମାମଲାର ସମାଧାନ ଲାଗି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ବୈଠକ ହେବ। ଏଥିରେ ଦୁଇ ରାଜ୍ୟର ମୁଖ୍ୟ ସଚିବ ଉପସ୍ଥିତ ରହିବେ।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵାଲ  କହିଛନ୍ତି, ସେ ବର୍ତ୍ତମାନ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ଅଫିସ୍ ଏବଂ ଗୃହ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସୋନୋଓ୍ଵାଲ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ଫୋନ କରି ସୀମାରେ ଘଟିଥିବା ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଜୋରାମଥାଙ୍ଗା ସୋନୋଓ୍ଵାଲଙ୍କୁ ଅନ୍ତର ରାଜ୍ୟ ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ସହଯୋଗର ଆଶ୍ଵାସନା ଦେଇଥିବା ଆସାମ ସରକାର ନିଜ ବୟାନରେ କହିଛି।

ମିଜୋରାମର ଓ୍ଵେରଙ୍ଗେଟ୍ ଓ ଓ ଆସାମର ଲୈଲାପୁରର ହିଂସା ପ୍ରଭାବିତ ଅଞ୍ଚଳରେ ସାମିଲ।  ପ୍ରଭାବିତ ଅଞ୍ଚଳରେ ଦୁଇ ରାଜ୍ୟ  ଭାରତୀୟ ରିଜର୍ଭ ବାଟାଲିୟନର ସୁରକ୍ଷାକର୍ମୀଙ୍କ ମୁତୟନ କରିଛି। କୋଲାସିବ ଜିଲ୍ଲାରେ ଓ୍ଵେରେଙ୍ଗଟ ମିଜୋରାମର ଉତ୍ତର ଦିଗରେ ଅବସ୍ଥିତ। ଆସାମ ଦେଇ ଯାଇଥିବା ଜାତୀୟ ରାଜମାର୍ଗ ୩୦୬ ଦୁଇ ରାଜ୍ୟକୁ ସଂଯୋଗ କରୁଛି।

କୋଲାସିବ ଜିଲ୍ଲା ଡେପୁଟୀ କମିସନର ଏଲ ଲାଲଥଲାଙ୍ଗିଆ କହିଛନ୍ତି ଶନିବାର ସନ୍ଧ୍ୟାରେ ଆସାମର କିଛି ଲୋକ ଲାଠି-ଠେଙ୍ଗା ଧରି ସୀମାବର୍ତ୍ତୀ ଗାଁର ବାହ୍ୟ ଅଞ୍ଚଳରେ ସ୍ଥିତ ଅଟୋ-ରିକ୍ସା ଷ୍ଟାଣ୍ଡ ନିକଟରେ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ।  ଏହା ପରେ ପ୍ରବଳ ସଂଖ୍ୟାରେ ଓ୍ଵେରଙ୍ଗେଟ୍‌ର ଗାଁ ଲୋକେ ଏକତ୍ର ହୋଇଥିଲେ। ଅଞ୍ଚଳରେ ଜାରି ନିଷେଦ୍ଧାଦେଶ ସତ୍ଵେ ଓ୍ଵେରଙ୍ଗେଟ୍‌ର ଗାଁର ଉତ୍ତେଜିତ ଲୋକେ ଜାତୀୟ ରାଜମାର୍ଗ ନିକଟରେ ୨୦ ଅସ୍ଥାୟୀ ଚାଳଛପର ଘର ଏବଂ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏହି ଘର ଓ ଦୋକାନ ଲୈଲାପୁର ଗାଁ ଲୋକଙ୍କ ଥିଲା।

ପୋଲିସ କମିସନର କହିଛନ୍ତି କିଛି ଘଣ୍ଟା ଧରି ଚାଲିଥିବା ଏହି ହିଂସାତ୍ମକ ସଂଘର୍ଷରେ ମିଜୋରାମର ଚାରି ଜଣଙ୍କ ସମେତ ଅନେକ ଆହତ ହୋଇଛନ୍ତି। ଜଣେ ଗୁରୁତର ଆହତଙ୍କୁ କୋଲାସିବ  ଜିଲ୍ଲା ହସ୍ପିଟାଲରେ  ଭର୍ତ୍ତି କରାଯାଇଛି। ତିନି ଜଣଙ୍କୁ ଓ୍ଵେରଙ୍ଗେଟ ଗାଁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆସାମର ଜଙ୍ଗଲ ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ ପରିମଳ ଶୁଳ୍କା ବୈଦ୍ୟ କହିଛନ୍ତି ଏହି କ୍ଷେତ୍ରରେ ଏହି ଧରଣର ଘଟଣା ପ୍ରାୟ ପ୍ରତି ବର୍ଷ ହେଉଛି। କାରଣ ଉଭୟ ପକ୍ଷର ଲୋକ ଅବୈଧ ଭାବେ ଗଛ କାଟନ୍ତି। ଏହାକୁ ନେଇ ବାଦ ବିବାଦ ଲାଗି ରହିଛି। ସିଲଚରରୁ ପୂର୍ବତନ ସାଂସଦ ସୁସ୍ମିତା ଦେବ କହିଛନ୍ତି, ଯେବେ ସେ ଘଟଣାସ୍ଥଳରେ ପହଞ୍ଚିଲେ, ପ୍ରଶାସନର ଅଧିକାରୀ ହାତ ବାନ୍ଧି ବସିଥିଲେ। ଲୋକଙ୍କୁ ସେମାନଙ୍କୁ ଅବସ୍ଥାରେ ଛାଡି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.