ଆମ ଫେସବୁକ ପୋଷ୍ଟ କାରଣରୁ ହିନ୍ଦୁଙ୍କ ବିରୋଧରେ ଘଟିଲା ହିଂସାକାଣ୍ଡ, ଦୋଷ ସ୍ଵୀକାର କଲେ ଅଭିଯୁକ୍ତ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫।୧୦: ବାଂଲାଦେଶରେ ସଂଖ୍ୟାଲଘୁ ସମୁଦାୟ ବିରୋଧରେ ନିକଟରେ ହିଂସା ଉସୁକାଇବା ଏବଂ ସାମାଜିକ ଗଣମାଧ୍ୟମରେ ସାଂପ୍ରଦାୟିକ ଘୃଣା ଏବଂ ଦ୍ଵେଷ ପ୍ରଚାର କରିବା ମାମଲାରେ ଦୁଇ ଜଣ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଛନ୍ତି। ଏଥିରେ ଅଛନ୍ତି ଜଣେ ପ୍ରମୁଖ ସନ୍ଦିଗ୍ଧ ଏବଂ ଏହାର ଜଣେ ସହଯୋଗୀ। ଅଦାଲତର ଜଣେ ଅଧିକାରୀ ସୋମବାର ଏହାର ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଶୈକତ ମଣ୍ଡଲ ରବିବାର ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ସ୍ଵୀକାର କରିଛି ଯେ, ତାର ଫେସବୁକ ପୋଷ୍ଟ କାରଣରୁ ଅକ୍ଟୋବର ୧୭ରେ ଦୁର୍ଗା ପୂଜା ସମୟରେ ପିରଗଞ୍ଜର ରଙ୍ଗପୁରରେ ହିଂସାକାଣ୍ଡ ଘଟିଥିଲା।

ମଣ୍ଡଲର ସହଯୋଗୀ ରବିଉଲ ଇସଲାମ(୩୬) ଜଣେ ମୌଲବୀ। ତା ବିରୋଧରେ ଜଳାପୋଡା ଓ ଲୁଟପାଟର ଅଭିଯୋଗ ହୋଇଛି। ମଣ୍ଡଲ ଏବଂ ଏହାର ସହଯୋଗୀ ନିଜର ଦୋଷ ସ୍ଵୀକାର କରିଥିବା ଅଧିକାରୀ କହିଛନ୍ତି। ଉଭୟଙ୍କ ବୟାନ ଆଧାରରେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।

ପୋଲିସ ଉଭୟଙ୍କୁ ଶୁକ୍ରବାର ଗାଜିପୁରରୁ ଗିରଫ କରିଛି ଏବଂ ଡିଜିଟାଲ୍ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରିଛି। ମଣ୍ଡଲ ରଙ୍ଗପୁରର କାରମାଇଲ କଲେଜରେ ଦର୍ଶନଶାସ୍ତ୍ରର ଛାତ୍ର। ଗିରଫଦାରୀ ପରେ କ୍ଷମତାସୀନ ଅବାମୀ ଲିଗ୍‌ର ଛାତ୍ର ଶାଖା ଛାତ୍ର ଲିଗ୍‌ରୁ ମଣ୍ଡଲକୁ ବହିଷ୍କାର କରାଯାଇଥିଲା। ହିଂସା ମାମଲାରେ ୨୪ ହଜାର ସନ୍ଦିଗ୍ଧଙ୍କ ଉପରେ ଅଭିଯୋଗ  ହୋଇଥିବା ବେଳେ ୬୮୩ ଜଣଙ୍କୁ ଗିରଫ କରାଯାଇଛି। ଏହି କେସ୍‌ରେ ୭୦ରୁ ଅଧିକ ମାମଲା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.