Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

COAର ପୂର୍ବତନ ସଭାପତି ବିନୋଦ ରାୟ କଲେ ଖୁଲାସା- କ’ଣ ପାଇଁ ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେଲେ ନାହିଁ ଦ୍ରାବିଡ

6/07/2020 at 5:02 PM

ନୂଆଦିଲ୍ଲୀ ୦୬।୦୭: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପ୍ରଶାସକଙ୍କ ସମିତି(COA)ର ପୂର୍ବତନ ସଭାପତି ବିନୋଦ ରାୟ ନିକଟରେ ଏକ ରାଜ୍ ଖୋଲିଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳ ସମାପ୍ତ ପରେ କାହିଁକି ଭାରତୀୟ କ୍ରିକେଟ୍‌ ଦଳର କୋଚ୍ ହେବାକୁ ମନା କରି ଦେଇଥିଲେ। ୨୦୧୭ରେ ଅନିଲ କୁମ୍ବଲେଙ୍କ ବିରାଟ କୋହଲିଙ୍କ ସହିତ ସଂପର୍କରେ ମତାନ୍ତର ହେବାରୁ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସିଓଏ ଦ୍ଵାରା ଦ୍ରାବିଡଙ୍କୁ ଦଳର କୋଚ୍ ପଦ ଯଚା ଯାଇଥିଲା। ମାତ୍ର ଦ୍ରାବିଡ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦ ଗ୍ରହଣ କରିବାକୁ ମନା କରି ଦେଇଥିଲେ।

ରାୟ ସ୍ପୋର୍ଟ୍ସକିଡା ସହ ସ୍ଵତନ୍ତ୍ର ଫେସବୁକ୍ ଲାଇଭରେ କହିଛନ୍ତି, ଦ୍ରାବିଡ ଖୋଲାଖୋଲି ଆମ ସହିତ ଆଲୋଚନା କରିଥିଲେ। ରାୟ କହିଛନ୍ତି, ଦ୍ରାବିଡ ଆମକୁ କହିଥିଲେ ଯେ, ତାଙ୍କ ଘରେ ଦୁଇଟି ବଡ ବଡ ପିଲା ଅଛନ୍ତି ଏବଂ ସେ ଭାରତୀୟ ଦଳ ସହିତ ପୂରା ଦୁନିଆ ବୁଲୁଛନ୍ତି। ଫଳରେ ସେମାନଙ୍କୁ ସମୟ ଏବଂ ଧ୍ୟାନ ଦେଇ ପାରୁନାହାନ୍ତି। ତେଣୁ ଦ୍ରାବିଡ ଘରେ ରହିବା ଏବଂ ପରିବାରକୁ ସମୟ ଦେବାକୁ ଚାହୁଁଥିଲେ ବୋଲି ରାୟ କହିଛନ୍ତି।

ରାୟ କହିଛନ୍ତି, ଦ୍ରାବିଡଙ୍କ ଏହି ଅନୁରୋଧ ଯଥାର୍ଥ ଥିଲା। ଦ୍ରାବିଡ ୧୯ ବର୍ଷରୁ କମ ଭାରତୀୟ କ୍ରିକେଟ୍ ଦଳର କୋଚ୍ ପଦରେ ରହିବାକୁ ଚାହୁଁଥିଲେ। କାରଣ ସେ ଯୁବ ଖେଳାଳିଙ୍କ ସହ ଆରମ୍ଭ କରିଥିବା କାମ ସାରିବାକୁ ଚାହୁଁଥିଲେ। ଏହା ପରେ ରବି ଶାସ୍ତ୍ରୀଙ୍କୁ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା।

ରାୟ କହିଛନ୍ତି, କୋଚିଂ କ୍ଷମତା ଉପରେ ଆଲୋଚନା କଲେ, ଦ୍ରାବିଡ, ଶାସ୍ତ୍ରୀ ଓ କୁମ୍ବଲେ ଏହି ମାମଲାରେ ସର୍ବଶ୍ରେଷ୍ଠ। ଆମେ କୋଚ୍‌ ପଦ ପାଇଁ ପ୍ରଥମେ ରାହୁଲଙ୍କ ସହ ଆଲୋଚନା କଲୁ। ସେ ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଦଳରେ ଭଲ କାମ କରୁଥିଲେ। ସେ ଏକ ଦଳ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଓ ରୋଡ୍‌ମ୍ୟାପ୍ ବିକଶିତ କରୁଥିଲେ।

ରାୟ କହିଛନ୍ତି ଦ୍ରାବିଡ ୧୯ ବର୍ଷରୁ କମ କ୍ରିକେଟ୍‌ ଦଳକୁ ଦମଦାର ଫଳାଫଳ ଦେଉଥିଲେ। ସେ ଏହି ଦଳ ସହିତ କାମ କରିବାକୁ ଚାହୁଁଥିଲେ ଏବଂ ତାଙ୍କୁ ଲାଗୁଥିଲା ଯେ, କିଛି କାମ ବାକି ରହିଛି, ଯାହାକୁ ଶେଷ କରିବା ଜରୁରୀ। ଦ୍ରାବିଡଙ୍କୁ ପରେ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ୨୦୧୯ରେ ସେ ଏହି ପଦଭାର ସମ୍ଭାଳିଛନ୍ତି।

   Related Posts