ନିର୍ଭୟା ଦୋଷୀର ନୂଆ ଚାଲ୍: କ୍ଷମା ଯାଚିକା ସହ ରାଷ୍ଟ୍ରପତିଙ୍କ ପାଖକୁ ବ୍ୟକ୍ତିଗତ ଡାଏରୀ ପଠାଇବାକୁ ଚାହୁଁଛି ବିନୟ

Published By : Prameya-News7 Bureau | January 24, 2020 IST

ନୂଆଦିଲ୍ଲୀ ୨୪/୦୧- ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଏବେ ମଧ୍ୟ ଫାଶୀ ଦଣ୍ଡରୁ ବର୍ତ୍ତିଯିବାର ଆଶା ବୋଧହୁଏ ଛାଡିନି । ରାଷ୍ଟ୍ରପତିଙ୍କ ନିକଟକୁ  କ୍ଷମା ଆବେଦନ ସହ ନିଜର ବ୍ୟକ୍ତିଗତ ଡାଏରୀଟି ପଠାଇବାକୁ  ଏବେ ସେ ଚାହୁଁଛି । ସେଥିଲାଗି ଶୁକ୍ରବାର ଦିଲ୍ଲୀର ଏକ ଅଦାଲତରେ ଆବେଦନ କରିଛି ୨୬ ବର୍ଷୀୟ ବିନୟ ଶର୍ମା ।

ଆସନ୍ତା ୧ ତାରିଖ ଦିନ ଅନ୍ୟ ତିନି ଦୋଷୀଙ୍କ ସହ ତିହାର ଜେଲ୍‌ରେ  ଫାଶୀ ପାଇବାକୁ ନିର୍ଦ୍ଦେଶ ପାଇସାରିଥିବା ବିନୟ ଏବେ ଏକ ନୂଆ ଚାଲ୍‌ ଖେଳିଛି । ସେ ଦିଲ୍ଲୀ କୋର୍ଟରେ କରିଥିବା ଆବେଦନରେ , ତାକୁ ତାର ୧୭୦ ପୃଷ୍ଠାର ଡାଏରୀଟି  ତୁରନ୍ତ ହସ୍ତାନ୍ତର କରିବା ଲାଗି ତିହାର ଜେଲ୍‌ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅଦାଲତଙ୍କୁ ବିନତୀ କରିଛି ।

ଏହି ନିବେଦନର କାରଣ ଦର୍ଶାଇ ବିନୟ କୋର୍ଟଙ୍କୁ ଜଣାଇଛି ଯେ, ସେ ତାର ବ୍ୟକ୍ତିଗତ ଡାଏରୀକୁ ତାର କ୍ଷମା ଯାଚିକା ବା କ୍ଷମା ପ୍ରାଥନା ଆବେଦନସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇବାକୁ ଚାହୁଁଛି । ଏହି ସୂଚନା ଦେଇଛନ୍ତି ବିନୟ ଶର୍ମାର ଓକିଲ ଏ .ପି. ସିଂହ । ସେ କହିଛନ୍ତି, ତାଙ୍କ ମହକିଲ ପକ୍ଷରୁ ସେ ରାଷ୍ଟ୍ରପତିଙ୍କୁ  ଦିଆଯିବାକୁ ଥିବା କ୍ଷମା ପ୍ରାର୍ଥନା ଆବେଦନ ପ୍ରସ୍ତୁତ କରିସାରିଛନ୍ତି ।

କିନ୍ତୁ ମହକିଲ ସେହି ଆବେଦନ ସହ ତାର ୧୭୦ ପୃ୍ଷ୍ଠା ବିଶିଷ୍ଟ ବ୍ୟକ୍ତିଗତ ଡାଏରୀଟିକୁ ମଧ୍ୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାକୁ ଚାହୁଁଛି । ତେଣୁ ସେ ସେଥିଲାଗି କୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହି ପ୍ରସଙ୍ଗରେ ଏପି ସିଂହ ତିହାର ଜେଲ କର୍ତ୍ତୁପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି, କିନ୍ତୁ ଜବାବ ପାଇନଥିବା କହିଛନ୍ତି । ଅନ୍ୟପକ୍ଷରେ ଜେଲ୍‌ କର୍ତ୍ତୁପକ୍ଷ ବିନୟକୁ ମେଡିକାଲ ରିପୋର୍ଟ ସହ ଅନ୍ୟ କିଛି ଡକ୍ୟୁମେଣ୍ଟ ଦେଇଛନ୍ତି ।

 ୨୦୧୨ ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଦୋଷୀ ପୱନ, ବିନୟ, ମୁକେଶ ଏବଂ ଅକ୍ଷୟ ସିଂ ଫେବୃଆରୀ ୧ ରେ ଫାଶି ପାଇବାକୁ ଡେଥ୍ ୱାରେଣ୍ଟ ଜାରି ସରିଛି । ଗତ ସପ୍ତାହରେ ମାତ୍ର ୪ ଦିନରେ ମୁକେଶ କୁମାରର କ୍ଷମା ଆବେଦନକୁ ରାଷ୍ଟ୍ରପତି ଭବନ ଅଗ୍ରାହ୍ୟ କରି ସାରିଛନ୍ତି। ଖୁବ୍ କମ୍‌ ସମୟରେ କ୍ଷମା ଯାଚିକା ଉପରେ ତାହା ଥିଲା ରାଷ୍ଟ୍ରପତି ଭବନର ସବୁଠୁ ତ୍ୱରିତ ନିଷ୍ପତ୍ତି । ତେବେ ୪ ଦୋଷୀଙ୍କ ଭିତରୁ କେବଳ ବିନୟ ହିଁ କ୍ଷମା ଆବେଦନ କରିବାକୁ ଏକ ମାତ୍ର ଦୋଷୀ ଭାବେ ବାକି ଅଛି । ଏହି ସମୟରେ ଦଣ୍ଡ ଗଡାଇବାକୁ ବିନୟ ପୁଣି କୋର୍ଟ ଯାଇଥିବା ମଧ୍ୟ ଆଶଙ୍କା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.