ଚାଷୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉଥିବା ପାରାକ୍ବେଟ୍ କୀଟନାଶକ ରାଜ୍ୟରେ ବିକ୍ରି ନିଷେଧ କରିବା ଦାବୀରେ ଭିମ୍‌ସାର ଡାକ୍ତରଙ୍କ ଅନଶନ…

Published By : Prameya-News7 Bureau | September 13, 2019 IST

ସମ୍ବଲପୁର ୧୩|୯: କୀଟନାଶକ ନେଉଛି ଜୀବନ । କୀଟପତଙ୍ଗ ଏବଂ ଅନାବନା ଗଛ ମାରିବାକୁ ଯେଉଁ କୀଟନାଶକ ବଜାରରେ ବିକ୍ରି ହେଉଛି ତାହାକୁ ବ୍ୟବହାର କରି ଯାଉଛି ଚାଷୀଙ୍କର ଜୀବନ ।

ଜଣେ ଦୁଇଜଣ ନୁହେଁ ବରଂ ପ୍ରତିବର୍ଷ ଶହ ଶହ ଚାଷୀ କୀଟନାଶକ ବ୍ୟବହାର କରି ପ୍ରାଣ ହରାଉଛନ୍ତି । ଆଉ ଯିଏ ବଞ୍ଚି ଯାଉଛନ୍ତି ତାଙ୍କର କିଡ୍‌ନୀ, ଲିଭର, ଫୁସଫୁସ୍‌ ଭଳି ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ନଷ୍ଟ ହୋଇଯାଉଛି । ହେଲେ ଏପରି କୀଟନାଶକକୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଡାକ୍ତର ମାନେ ଆରମ୍ଭ କରିଛନ୍ତି ଅନଶନ । ବୁର୍ଲା ଭିମ୍‌ସାରର ୪ ଜଣ ଡାକ୍ତର ଆଜି ଦିନସାରା ଏଥିପାଇଁ ପ୍ରତୀକାତ୍ମକ ଅନଶନ କରିଛନ୍ତି ।

{"id":157104}

ଅନଶନରେ ବସିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ବୁର୍ଲା ଭିମ୍‌ସାରର ଏହି ଚର୍ଚ୍ଚିତ ଡାକ୍ତର ଜଣକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଚର୍ଚ୍ଚାରେ ରହିଆସିଛନ୍ତି । ହେଲେ ଶୁକ୍ରବାର ସେ ଭିମ୍‌ସାରରେ ଡ୍ୟୁଟି କରୁଥିଲେ ମଧ୍ୟ ଅନ୍ନଜଳ ସ୍ପର୍ଶ ନକରି ଅନଶନ କରିଛନ୍ତି ।

{"id":157108}

ତାଙ୍କ ସହିତ ଭିମ୍‌ସାରର ଡାକ୍ତର ରାଜେଶ ମେହେର, ଡାକ୍ତର ବିତନ ମହାନ୍ତି, ଡାକ୍ତର କିରଣ କେ. ମଧ୍ୟ ଅନଶନ କରିଛନ୍ତି । ଆଉ ସେମାନଙ୍କର ଦାବି ହେଲା ମାରାତ୍ମକ କୀଟନାଶକ ପାରାକ୍ବେଟ୍‌କୁ ରାଜ୍ୟରେ ବିକ୍ରି ନିଷେଧ କରିବା । କାରଣ ଏହି କୀଟନାଶକ ବ୍ୟବହାର କରୁଥିବା ଶହ ଶହ ଚାଷୀ ପ୍ରତିବର୍ଷ ମୃତ୍ୟୁ ମୁଖରେ ପଡୁଛନ୍ତି କିମ୍ବା ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି ।

{"id":157105}

ଗତ ୬ ମାସର ତଥ୍ୟକୁ ଅନୁଧ୍ୟାନ କଲେ ପାରାକ୍ବେଟ୍ ନାମକ କୀଟନାଶକ ସଂସ୍ପର୍ଶରେ ଆକ୍ରାନ୍ତ ହୋଇ ୧୭୪ ଜଣ ରୋଗୀ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ସେମାନଙ୍କ ଭିତରୁ ୧୭୧ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ୪ ଜଣ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଫୁସଫୁସ୍ ସଂକ୍ରମଣ, ଲିଭର ସମସ୍ୟା, ହୃଦଘାତରେ ଏହି ରୋଗୀମାନେ ଆକ୍ରାନ୍ତ ହୋଇଛନ୍ତି ।

{"id":157107}

ପାରାକ୍ବେଟ୍‌ କୀଟନାଶକକୁ କେରଳ ସରକାର ସଂପୂର୍ଣ୍ଣ ବ୍ୟାନ୍‌ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଏହା ବିରୋଧରେ ଚାଷୀ ଆନ୍ଦୋଳନ ଏବଂ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଏପରିକି ଆମେରିକା ଓ ଶ୍ରୀଲଙ୍କାରେ ପାରାକ୍ବେଟ୍‌ କୀଟନାଶକ ସଂପୂର୍ଣ୍ଣ ବ୍ୟାନ୍‌ । ବଜାରରେ ଏହି କମ୍ପୋଜିସନର କୀଟନାଶକ ପାରାନେକ୍‌, ପାରାଗ୍ରାମ୍‌, ପାରାକ୍ବେମ୍‌, ପାରାଗ୍ରୀପ୍ ଭଳି ବ୍ରାଣ୍ଡରେ ବି୍କ୍ରି ହେଉଛି ।

{"id":157106}

ଚାଷୀ ମାନେ ଏହାକୁ ଅନାବନା ଘାଷ, ଲତାକୁ ନଷ୍ଟ କରିବା ପାଇଁ ବ୍ୟବହାର କରୁଥିବା ବେଳେ ଅସାବଧାନତା ବଶତଃ ଏହା ଥରେ ଶ୍ବାସକ୍ରିୟାରେ ଭିତରକୁ ଚାଲିଗଲେ କଥା ସରିଲା । ଏହି କୀଟନାଶକ କିଡ୍‌ନୀ, ଫୁସଫୁସ୍‌କୁ ଆକ୍ରାନ୍ତ କରି ନଷ୍ଟ କରିଦେଉଥିବା ବେଳେ ରୋଗୀ ଧିରେ ଧିରେ ମୃତ୍ୟୁ ମୁଖକୁ ଚାଲିଯାଏ ।

ଏହାକୁ ରାଜ୍ୟରେ ସଂପୂର୍ଣ୍ଣ ବ୍ୟାନ୍‌ କରିବା ପାଇଁ ଭିମ୍‌ସାର ସହିତ ଏମ୍‌କେସିଜି ମେଡିକାଲର ଡାକ୍ତର ମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.