କୁଷ୍ଠ ରୋଗୀଙ୍କୁ କାଖେଇ ରାସ୍ତା ପାର କଲେ ଡାକ୍ତର, ବିଭିନ୍ନ ମହଲରୁ ଛୁଟିଲା ପ୍ରଶଂସାର ସୁଅ

Published By : Prameya-News7 Bureau | June 15, 2019 IST

ବୁର୍ଲା ୧୫|୬: କୁଷ୍ଠ ରୋଗୀଙ୍କୁ ଛୁଇଁଲେ କୁଷ୍ଠ ବ୍ୟାପେ ବୋଲି ଲୋକଙ୍କ ମନରେ ଏଭଳି ଧାରଣା ବହୁ ଦିନରୁ ରହିଆସିଛି । ତେଣୁ କୁଷ୍ଠ ରୋଗୀଙ୍କୁ ଅନେକ ଲୋକ ଛୁଅନ୍ତି ନାହିଁ । କୁଷ୍ଠ ରୋଗ ଡେଇଁବା ଆଶଙ୍କାରେ ଲୋକେ ଛୁଇଁବାକୁ ଡରନ୍ତି । କିନ୍ତୁ କୁଷ୍ଠ ରୋଗୀକୁ ଛୁଇଁଲେ କି ସହାୟତା କଲେ  କୁଷ୍ଠ ସଂକ୍ରମିତ ହୁଏ ନାହିଁ ବୋଲି ଲୋକଙ୍କୁ ଏଭଳି ବାର୍ତ୍ତା ଦେବା ପାଇଁ ବୁର୍ଲା ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ ବାଟରେ ଗଲାବେଳେ ଜଣେ କୁଷ୍ଠ ରୋଗୀଙ୍କୁ ଟେକିନେଇ ରାସ୍ତା ପାର କରାଇଥିଲେ ।

ଭୀମସାର ସିନିଅର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ରବିବାର ସକାଳେ ସେ ଯାଉଥିବାବେଳେ ଜୁନାପାଣି କଲୋନୀର ଜଣେ ଭିନ୍ନକ୍ଷମ କୁଷ୍ଠରୋଗୀ ରାସ୍ତା ପାର ହେବାକୁ ଚେଷ୍ଟା କରୁଥିବାବେଳେ ନିଜ ଗାଡିରୁ ଓହ୍ଲାଇ ଡାକ୍ତର ରାମଚନ୍ଦାନୀ ତାଙ୍କୁ କାଖେଇ ରାସ୍ତାପାର କରାଇ ଦେଇଥିଲେ । ଡାକ୍ତରଙ୍କ ଏହି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଥିଲେ । ଜଣେ କୁଷ୍ଠ ରୋଗୀଙ୍କୁ ଡାକ୍ତର ରାମଚନ୍ଦାନୀ ସହାୟତା କରି ଉଚ୍ଚ ମାନବୀୟ ଚିନ୍ତାଧାରାର ପରିଚୟ ଦେଇଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଡାକ୍ତରଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ସୂଚନାଯୋଗ୍ୟ ଯେ, ଡାକ୍ତର ରାମଚନ୍ଦାନୀ ବିଭିନ୍ନ ସମୟରେ ରୋଗୀଙ୍କୁ ଔଷଧ ଓ ଚିକିତ୍ସା ସହାୟତା ପ୍ରଦାନ କରି ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.