ଡାକ୍ତର ହେବ ତ ଏମିତି : ଆମ୍ବୁଲାନ୍ସ ଆସି ପାରିଲାନି, କରୋନା ଆକ୍ରାନ୍ତ ରୋଗୀକୁ ନିଜ କାରରେ ଡାକ୍ତରଖାନା ଆଣିଲେ ଭିମସାର ଡାକ୍ତର

Published By : Prameya-News7 Bureau | October 09, 2020 IST

ସମ୍ବଲପୁର,୦୯|୧୦: ଏକ ପ୍ରକୃତ କରୋନା ଯୋଦ୍ଧାର ପରିଚୟ ଦେଲେ  ଭିମ୍‌ସାରର ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ।  କରୋନାଠୁ ଦୂରେଇ ରୁହ, ରୋଗୀଠାରୁ ନୁହେଁ । ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ଆଜି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । କରୋନା ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନା ଭିତରେ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟକର୍ମୀ ଭୟ କରୁଥିବା ବେଳେ ଏହି ସମୟରେ ଗୃହାବଦ୍ଧରେ ଥିବା ଜଣେ ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବା ପରେ ଡା.ରାମଚନ୍ଦାନୀ ପିପିଇ କିଟ୍ ପିନ୍ଧି ନିଜ ଗାଡିରେ ତାଙ୍କୁ ଡାକ୍ତରଖାନାକୁ ଆଣିଛନ୍ତି । ଡା.ରାମଚନ୍ଦାନୀ ଏଭଳି ଏକ ମହତ ତଥା ଦୁଃସାହସିକ କାର୍ଯ୍ୟ ପାଇଁ ପୁଣିଥରେ ରାଜ୍ୟବ୍ୟାପୀ ଚର୍ଚାର ବିଷୟ ପାଲ୍‌ଟିଛନ୍ତି । ଅନ୍ୟପଟେ ଏଭଳି କାର୍ଯ୍ୟ ପାଇଁ ଡା. ରାମଚନ୍ଦାନୀ  ଜଣେ ପ୍ରକୃତ କରୋନା ଯୋଦ୍ଧାର ଏକ ସ୍ୱତନ୍ତ୍ର  ପରିଚୟ ସୃଷ୍ଟି କରିଛନ୍ତି । ଫଳରେ ଡାକ୍ତରଙ୍କ ଏଭଳି କାମ ପାଇଁ ଭିମସାର ନିର୍ଦେଶକଠାରୁ ଆରମ୍ଭ କରି ମେଡିକାଲ ଅଧିକାରୀ ସମସ୍ତେ ପ୍ରଶଂସା କରିଛନ୍ତି । 

ଭିମସାରରେ ନିଜ ଡାକ୍ତରୀ ପାଠ ପଢିବା ସହିତ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ବର୍ତମାନର ବରିଷ୍ଠ ଆବାସିକ ଡାକ୍ତର ଡା.ଶଙ୍କର ରାମଚନ୍ଦାନୀ ବିଭିନ୍ନ ସମୟରେ ଅସହାୟ ବା ଗରିବ ରୋଗୀଙ୍କୁ ସହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲ୍‌ଟିଛନ୍ତି । ତେବେ ତାଙ୍କର ଏଭଳି ମହାନ କାମ ଯୋଗୁଁ ଭିମସାର ପାଇଁ ମଧ୍ୟ ଗୌରବ ଆଣିଛି । କେତେବେଳେ କୃଷ୍ଠ ରୋଗୀଙ୍କୁ ବୋହି ରାସ୍ତା ପାର କରି ସରକାରୀସ୍ତରରେ ପ୍ରଶଂସାସାଉଁଟିଥିବା ବେଳେ କେତେବେଳେ ଅସହାୟଙ୍କୁ ଆର୍ଥୀକ ସାହାଯ୍ୟକରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲ୍ଟିଛନ୍ତି । ହେଲେ ଆଜି ଡା.ରାମଚନ୍ଦାନୀ ବୁର୍ଲା କୃଷ୍ନରୋଗୀ କଲୋନୀରେ ଗୃହାବଦ୍ଧରେ ଥିବା ଜଣେ କରୋନା ରୋଗୀ ଯୁବକଙ୍କୁ ନିଜ ଗାଡିରେ ମେଡିକାଲ ଆଣି ନିଜ ମହାନତାର ପରିଚୟ ସୃଷ୍ଟି କରିଛନ୍ତି । ମିଳିଥିବା ସୂଚନା ମତେ ଡା.ରାମଚନ୍ଦାନୀ କିଛମାସ ହେବ ବୁର୍ଲା କୃଷ୍ଠ ରୋଗୀ କଲୋନୀକୁ ପୌଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଫଳରେ ପଡାରେ ରହୁଥିବା ପ୍ରାୟ ୫୦ ପରିବାରର ଦୁଃଖ ସୁଖର ସାଥୀ ପାଲଟିଛନ୍ତି । ଅନେକ ସମୟରେ ସହାୟତା ପ୍ରଦାନ କରିଆସୁଛନ୍ତି । ବର୍ତମାନ କରୋନା ମହାମାରୀ ଯୋଗୁଁ ସଚେତନତା ବାର୍ତ୍ତା ଦେବା ସହିତ ସେହି ଅଞ୍ଚଳରେ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇ ଗୃହାବଦ୍ଧରେ ଥିବା ବେଳେ ତାଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଦୁଇଦିନ ପୂର୍ବରୁ ପିପିଇ କିଟ୍ ପିନ୍ଧି ଡା.ରାମଚନ୍ଦାନୀ ସେଠାରେ ପହଂଚିଥିଲେ । ତେବେ ଉକ୍ତ କରୋନା ରୋଗୀ ମଧ୍ୟରୁ ଜଣେ ଆଜି ଅସୁସ୍ଥ ଅନୁଭବ କରିବା ସହିତ ନିଶ୍ୱାସ ନେବା ଆଣିବାରେ ସମସ୍ୟା ସୃଷ୍ଟି ହେବାରୁ ଡା.ରାମଚନ୍ଦାନୀଙ୍କୁ ପଡାବାସୀ ଅବଗତ କରିଥିଲେ । ଡା.ରାମଚନ୍ଦାନୀ ତୁରନ୍ତ ତାଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା କରିଥିଲେ । ଅନେକ ଟାକ୍ସିକୁ ଯୋଗାଯୋଗ କରିଥିଲେ ମଧ୍ୟ କରୋନା ରୋଗୀ ଙ୍କୁ କେହି ନେବା ପାଇଁ ମନା କରିଥିଲେ । ଶେଷରେ ରୋଗି ଜଣକର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା ।

ତେବେ ରୋଗୀ ଜଣକୁ ବଂଚାଇବା ପାଇଁ ଡା.ରାମଚନ୍ଦାନୀ ଏକ ପିପିଇ କିଟ୍ ପିନ୍ଧି ନିଜେ ନିଜ କାର୍ ରେ ଆଣି ବୁର୍ଲା ମେଡିକାଲ ରେ ପହଂଚିଥିଲେ । ଏହାପରେ ଉକ୍ତ ରୋଗୀଙ୍କୁ ଆଇସୋଲେସନ୍ ୱାର୍ଡ ରେ ଭର୍ତି କରିବା ସହିତ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ସମ୍ବଲପୁର କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରୋଗୀ ଜଣକର ଦେହରେ ଅମ୍ଳଜାନ ପରିମାଣ କମ୍ ରହୁଥିବା ଜଣାପଡିଥିଲା । ତେବେ ଉକ୍ତ ରୋଗୀଙ୍କୁ ଡାକ୍ତର ଖାନା ନଆଣି ବିଳମ୍ବ କରାଯାଇଥିଲେ ଆଗକୁ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଆନ୍ତା ବୋଲି ଡା.ରାମଚନ୍ଦାନୀ ସୂଚନା ଦେଇଛନ୍ତି । ତେବେ ଡା.ରାମଚନ୍ଦାନୀଙ୍କ ଏଭଳି ପରୋପକାରୀ ଏବଂ ସହୃଦୟତାର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ଯୋଗାଇବ ବୋଲି ମତପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.