କ୍ୟାନସର ରୋଗୀଙ୍କୁ ଲୁଣ ଚିକିତ୍ସା ଦେଇ ବିବାଦରେ ପ୍ରଫେସର ଅଶ୍ବିନୀ ପୂଜାହାରୀ ; ଛୁଟିରେ ଗଲେ, ୩ ଦିନରେ ସୋ କଜ୍ ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | December 08, 2018 IST

ସମ୍ବଲପୁର ୦୮|୧୨: ବିଭିନ୍ନବିବାଦରେ ଫଶିଥିବା ଭୀମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ବନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ସୋ’ କଜ୍  ନୋଟିସ ଜାରି ହୋଇଛି । ନୋଟିସ୍ ର ଉତ୍ତର ମିଳିବା ଓ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦା ଏହି ସୋ’ କଜ୍ ନୋଟିସ୍  ଜାରି କରିଛନ୍ତି । ନୋଟିସ୍ ରେ ଆସନ୍ତା ତିନି ଦିନ ଭିତରେ ପୂଜାହାରୀଙ୍କୁ ସୋ’ କଜ୍ ର ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ପୂଜାହାରୀ କୌଣସି ଉତ୍ତର ନଦିଅନ୍ତି, ତେବେ ତାଙ୍କର କିଛି କହିବାର ନାହିଁ ବୋଲି ଧରାଯିବା ସହ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ପୂର୍ବରୁ ଅଶ୍ବିନୀ ପୂଜାହାରୀ ଶୁକ୍ରବାର ସର୍ଜରୀ ବିଭାଗର ଇନ୍ ଚାର୍ଜ ପଦବୀରୁ ନିଜ ଆଡ଼ୁ ଓହରି ଯାଇଥିଲେ। ଏ ନେଇ ସେ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଥିଲେ ।

{"id":61875,"align":"center"}

ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କ ଚିକିତ୍ସା ପଦ୍ଧତି ଶୁଣିଲେ ଯେକେହି ତାଜୁବ ହୋଇଯିବ । କ୍ୟାନସର ରୋଗୀଙ୍କଠାରେ ପୂଜାହାରୀଙ୍କ ଲୁଣ ଚିକିତ୍ସା ନେଇ ଚର୍ଚ୍ଚା ଜୋର ଧରିଛି । ଭିମସାରର ଜୁନିୟର ଡାକ୍ତର ସଂଘର ଅଭିଯୋଗ ଅନୁଯାୟୀ, ଅଶ୍ବିନୀଙ୍କ ଲୁଣ ଚିକିତ୍ସା ଲାଗି ଜଣେ ରୋଗୀର ଜୀବନ ଯାଇଥିଲା । ଏନେଇ ନ୍ୟୁଜ୭ ଆଗରେ କିଛି ତଥ୍ୟ ପ୍ରମାଣ ବି ରଖିଥିଲେ ସଂଘର ସଦସ୍ୟ । କିଛି ଫଟୋ ଓ ଭିଡିଓ ଦେଖାଇଥିଲେ। ଅଭିଯୋଗ ଅନୁସାରେ ଅଗଷ୍ଟ ୨୭ରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ କର୍କଟରେ ପୀଡ଼ିତ ପ୍ରସାଦି ପ୍ରଧାନ। ଆଉ ଚିକିତ୍ସକ ଥିଲେ ନିଜେ ନିର୍ଦ୍ଦେଶକ ଅଶ୍ବିନୀ ଜୁନିୟର ଡାକ୍ତରଙ୍କ ଅଭିଯୋଗ ଅନୁସାରେ ରୋଗୀପେଟରେ ମୁଠା ମୁଠା ଲୁଣ ଢାଳି ଚିକିତ୍ସା କରୁଥିଲେ ଅଶ୍ବିନୀ । ଆଉ ପ୍ରମାଣ ସ୍ବରୁପ ଅପରେସନ ଥିଏଟରରେ ଲୁଣ ପ୍ୟାକେଟର ଫଟୋ ବି ସାମ୍ନାକୁ ଆସିଛି । ଯେଉଁଥିପାଇଁ ରୋଗୀର ସୋଡ଼ିୟମ ହଠାତ ବୃଦ୍ଧି ପାଇଥିବା ଏବଂ ସେଥିରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେବଳ ଲୁଣ ଚିକିତ୍ସା ନୁହେଁ, ରୋଗୀଙ୍କ ପିଠିରେ ତବଲା ବଜାଇ ଚିକିତ୍ସା କରନ୍ତି ଅଶ୍ବିନୀ ପୂଜାହାରୀ । ଏହି ଭିଡିଓ ବି ସାମ୍ନାକୁ ଆସିଛି। ଭୁଲ ଚିକିତ୍ସା ପଦ୍ଧତି ପ୍ରୟୋଗ ଅଭିଯୋଗ ଉପରେ ତଦନ୍ତ ଲାଗି ଏକ ୪ ଜଣିଆ ଟିମ୍ ଗଠନ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଏହି ଟିମ୍ ତାର ରିପୋର୍ଟ ଦେଇ ପୂଜାହାରୀଙ୍କୁ ଦାୟୀ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.