Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁମାରୀ ମାଆ ହେଲେ ଦିବ୍ୟାଙ୍ଗ ଯୁବତୀ : ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବାପା ମାଆ ବାହାର କରିଦେଲେ ଘରୁ, ଅଳିଆ ଗଦାରେ ପୁତ୍ର ସନ୍ତାନକୁ ଦେଲେ ଜନ୍ମ, ମାରିଦେବାକୁ ଗାଁ ଲୋକଙ୍କ ଉଦ୍ୟମ

25/04/2019 at 3:26 PM

କୋରାପୁଟ ୨୫|୪: କୁମାରୀ ମାଆ ହେଲେ ଦିବ୍ୟାଙ୍ଗ ଯୁବତୀ । ଗର୍ଭ ଯନ୍ତ୍ରଣାରେ ଝିଅ ଛଟପଟ ହେଉଥିବା ବେଳେ ବାପା ମାଆ ଘରୁ ବାହାର କରିଦେଲେ । ଶେଷରେ ଅଳିଆ ଗଦାରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଯୁବତୀ ।କୁମାରୀ ମା ଓ ନବଜାତକୁ ଗାଁ ଲୋକେ ମାରିଦେବାକୁ ଉଦ୍ୟମ କଲାବେଳେ ପ୍ରଶାସନ ଠିକ୍ ସମୟରେ ପହଞ୍ଚି ଉଦ୍ଧାର କରିଛି ଏମାନଙ୍କୁ । ଏମିତି  ଅମାନବୀୟ, ହୃଦୟ  ବିଦାରକ ଘଟଣା ଘଟିଛି କୋରାପୁଟ ଲମତାପୁଟ ଅଂଚଳରେ ।

ଅଳିଆ ଗଦାରେ ସନ୍ତାନକୁ ଜନ୍ମ ଦେଲେ ଦିବ୍ୟାଙ୍ଗ ଯୁବତୀ । ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏହି ଅବିବାହିତା ଯୁବତୀ ଜଣକ । କଥା କହିପାରୁନଥିବାରୁ କାହାକୁ ନିଜ ଯନ୍ତ୍ରଣା ଜଣାଇ ପାରିଲେନି ।  ଲୋକ ଲଜ୍ଜା ଭୟରେ ପରିବାର ଲୋକେ ନିଜ ଝିଅକୁ ବି ଛୁଇଁଲେନି ଓଲଟି ଘରୁ ବାହାର କରିଦେଲେ । ଘର ପଛପଟେ ଥିବା ଏକ ଅଳିଆ ଗଦାରେ ଶିଶୁ ପୁତ୍ରଟିଏ ଜନ୍ମ ଦେଇଛନ୍ତି ସେ ।

ଶିଶୁ ପୁତ୍ରଟି ଜନ୍ମ ନେବା ପରେ ବି କେହି ମାନବିକତା ଦେଖାଇନଥିଲେ । ପୁଅର ନାହି ବି କୁମାରୀ ମା’ ଟି ନିଜେ ହାତରେ କାଟିଥିଲା ।  ୧୮ ଘଣ୍ଟା ମାଆ-ପୁଅ ଅଳିଆ ଗଦାରେ ଛଟପଟ ହେଉଥିବା ବେଳେ  ଗାଁ ଲୋକ ସହାୟତାର ହାତ ବଢାଇବେ କଣ ଓଲଟା ଏମାନଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । ଅଙ୍ଗନବାଡି କର୍ମୀଙ୍କଠୁ ଠିକ୍ ସମୟରେ ଖବର ପାଇ ମାଆ ଓ ନବଜାତ ଶିଶୁକୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି କୋରାପୁଟ ଶିଶୁ ସୁରକ୍ଷା ଅଧିକାରୀ ।

ମାଆ ଓ ନବଜାତ ଶିଶୁ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ଏବେ ବି ଚିହ୍ନଟ ହୋଇ ପାରି ନାହିଁ । ଯୁବତୀ ଜଣଙ୍କ ମୁକ ଓ ବଧିର ହୋଇଥିବାରୁ ତାଙ୍କ ସହ କିଏ ଏପରି ପାଶବିକ ଅତ୍ୟାଚାର କଲା ତାହା ବି ସେ କହିପାରୁ ନାହାଁନ୍ତି ।କେବଳ ଠାର ମାଧ୍ୟମରେ କିଛି ସଂକେତ ଦେଉଥିବା ବେଳେ ସେହି ଆଧାରରେ ଅଭିଯୁକ୍ତକୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି ।

ଅଭିଯୁକ୍ତ ତ ତୁରନ୍ତ ଗିରଫ ହେବା ଆବଶ୍ୟକ । ତେବେ ପରିବାର ଲୋକେ ଏବଂ ଗ୍ରାମବାସୀ ଯୁବତୀଙ୍କୁ ଏପରି ସମୟରେ ଘରୁ ବାହାରିକରିଦେବା ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଲଜ୍ଜାଜନକ ବିଷୟ ନିଶ୍ଚିତ ।

   Related Posts