ସାତକୋଶିଆରେ ଆତଙ୍କ ଖେଳାଇଛି ସୁନ୍ଦରୀ : ବନ ବିଭାଗ ଅଫିସ ପୋଡିଲେ ଉତ୍ୟକ୍ତ ଲୋକେ

Published By : Prameya-News7 Bureau | September 13, 2018 IST

ଅନୁଗୁଳ ୧୩/୯ : ସାତକୋଶିଆରେ ଆତଙ୍କ ଖେଳାଇଛି ସୁନ୍ଦରୀ । ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଟାଣି ନେଇ ମାରିଦେବା ଘଟଣା ପରେ ପୁରା ଇଲାକାରେ ଆତଙ୍କ ଖେଳିଯାଇଛି । ସାତକୋଶିଆ ଅଭୟାରଣ୍ୟରେ ଖୋଲାଖୋଲି ବୁଲିବା ପାଇଁ ବାଘୁଣୀ ସୁନ୍ଦରୀକୁ ଛାଡ଼ି ଦିଆଯିବାର ପ୍ରାୟ ମାସକ ଭିତରେ ସେ କରିଛି ପ୍ରଥମ ମଣିଷ ଶିକାର । ଏହ ଘଟଣାରେ ଗାଁ ଲୋକେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଥିବା ବେଳେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକେ ହାତୀବାରି ବିଟ ହାଉସ, ଟିକରପଡା ରେଞ୍ଜ ଅଫିସ ସହ ବନବିବାଗ ବୋଟକୁ ନିଆଁ ଲଗାଇ ଦେଇଛନ୍ତି । ବିଟ ହାଉସ ଜଗୁଆଳିଙ୍କୁ ମାଡ ମାରିଛନ୍ତି । ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି । ଉତ୍ତେଜନା ଲାଗି ରହିଥିବାରୁ ଭୟରେ ବନ କର୍ମଚାରୀ ଗାକୁ ଯିବାକୁ ଡରୁଛନ୍ତି । ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲରୁ ସୁନ୍ଦରୀକୁ ଅଣା ଯାଇଥିଲା । ଜୁନ୍ ୨୮ରେ ସୁନ୍ଦରୀ ସାତକୋଶିଆରେ ପହଞ୍ଚିବା ପରେ ତାକୁ ୨.୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏନକ୍ଲୋଜରରେ ରଖାଯାଇଥିଲା। ତାର ପ୍ରତିଟି ବ୍ୟବହାର ଉପରେ ନଜର ରଖିଥିଲେ ଜଙ୍ଗଲ ବିଭାଗ ଅଧିକାରୀ ଓ ଡାକ୍ତର । ଜୁନ୍ ୨୮ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବାଘୁଣୀ ସୁନ୍ଦରୀ ସୁସ୍ଥ ଭାବେ ବିଚରଣ କରିବା ସହିତ ସ୍ବାଭାବିକ ଆଚରଣ ଦେଖାଇଥିଲା ।ଏହାପରେ ପିସିସିଏଫ୍ ଓ ବନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସୁନ୍ଦରୀକୁ ଅଗଷ୍ଟ ୧୭ ତାରିଖରେ ଏନ୍କ୍ଲୋଜରରୁ ମୁକ୍ତ କରାଯାଇଥିଲା । ଜଙ୍ଗଲୀ ଜନ୍ତୁଙ୍କୁ ଶିକାର କରିବାରେ ବିଫଳ ହେବା ଯୋଗୁଁ ଏପରି ହିଂସ୍ର ହୋଇପଡ଼ିଥିବା ପରିବେଶବିତ୍ କହିଛନ୍ତି । ସୁନ୍ଦରୀକୁ ନେଇ ଆତଙ୍କିତ ସାତକୋଶିଆ ବାସୀ ଏବେ ତାକୁ ଟ୍ରାଙ୍କୁଲାଇଜ୍ କରି ଏନ୍କ୍ଲୋଜରରେ ରଖିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.