Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଆନ୍ତା ହତ୍ୟା ଘଟଣାରେ ଅନୁସଂଧାନୀ କୁକୁର ଇଟାଭାଟି ଆଡକୁ ଗଲାବୋଲି ଇଟାଭାଟି ମାଲିକଙ୍କ ଉପରେ ଗ୍ରାମବାସୀ ସଂଘବଦ୍ଧ ଆକ୍ରମଣ କରି ପକାଇଦେଲେ ତାଲା, ଲାଠିଚାର୍ଜ କରି ଉଦ୍ଧାର କଲା ପୋଲିସ

ନୀଳଗିରି୧୬|୪: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ସାଆନ୍ତା ଛକରେ ଜଣେ ଯୁବକକୁ ଅତି ଅମାନୁଷିକ ଭାବେ ଗଳାକାଟି ହତ୍ୟା କରାଯାଇଥିବା ଘଟଣାକୁ କେନ୍ଦ୍ରକରି ଘଟିଛି ଅଭାବନୀୟ ଘଟଣା । ହତ୍ୟାକାଣ୍ଡକୁ ୫ଦିନ ବିତିଯାଇଥିବାବେଳେ ପୋଲିସ ଏ ପର୍ଯ୍ୟନ୍ତ ଦୋଷୀକୁ  ନଧରିବା ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଗ୍ରାମବାସୀ ଜଣେ ଇଟାଭାଟି ମାଲିକଙ୍କୁ  ସନ୍ଦେହ କରି ଅତି ଅମାନୁସିକ ଭାବେ ମାଡ ମାରିବା ସହିତ ଘୋଷାରି ଘୋଷାରି ନେଇ ଗୋଟିଏ ଘରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏପରିକି ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଇଟାଭାଟି ମାଲିକଙ୍କ ପତ୍ନୀଙ୍କୁ ମଧ୍ୟ ଲୋକେ ଅଟକ ରଖିଥିଲେ । ଶେଷରେ  ପୋଲିସ ଲାଠିମାଡ କରି ଇଟାଭାଟି ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଛି ।

 

ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ  ଭୂଇଁପଡା ଗ୍ରାମର ବଂଶୀଧର ବହେରାଙ୍କ ପୁଅ ଅମୁଲ୍ୟ (୪୨) ଦୀର୍ଘ ବର୍ଷ ଧରି ସାଆନ୍ତା ଛକରେ ଦୋକାନ କରିଥିଲେ । ହେଲେ ଗତ ବୁଧବାର ରାତିରେ ଓଡି-0୧ଜି-୧୩୨୬ ନମ୍ବର ବିଶିଷ୍ଠ ଏକ ହିରୋହଣ୍ଡା ମୋଟର ସାଇକେଲରେ ନୀଳଗିରି ଆଡୁ ସାଆନ୍ତା ଆଡକୁ ଆସୁଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ଆକ୍ରମଣ କରି ଗଳାକାଟି ହତ୍ୟା କରିଥିଲେ ।

ଏପରିକି ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଅଭିଯୁକ୍ତଙ୍କୁ ଧରିବା ସହ କ୍ଷତିପୂରଣ ଦାବୀ କରିଥିଲେ। ଦୋଷୀଙ୍କୁ ଶୀଘ୍ର ଧରାଯିବ ବୋଲି ସ୍ଥାନୀୟ ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ପରେ ସାଇଂଟିଫିକ ଟିମ ଆସି ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ସନ୍ଧାନୀ କୁକୁର ଏକ ଫ୍ଲାଏ ଆସ ଇଟାଭାଟି ଆଡକୁ ବାରମ୍ବାର ଯାଇଥିଲା । ଫଳରେ ଇଟାଭାଟି ମାଲିକ ଉପରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା ।ଏଥି ସହ ଇଟାଭାଟିରୁ ମାଂସ ଭୋଜି ଖାଇ ଫେରିବା ପରେ ଇଟାଭାଟିଠାରୁ ଶହେ ମିଟର ଦୂରରେ ଅମୁଲ୍ୟଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ବୋଲି ଗ୍ରାମବାସୀ ଜାଣିବାକୁ ପାଇଥିଲେ ।

ଏନେଇ ଇଟାଭାଟି ମାଲିକ ଉପରେ ଗ୍ରାମବାସୀଙ୍କ ସନ୍ଦେହ ଲାଗିରହିଥିଲା। ଆଜି ଇଟାଭାଟି ମାଲିକ ବାଲେଶ୍ବର ଅଂଚଳର କେଶବ ଚନ୍ଦ୍ର ଜେନା ଭାଟିକୁ ଆସିଥିବାବେଳେ ମୃତକଙ୍କ ପରିବାର ଏବଂ ଉତ୍ୟକ୍ତ ଗ୍ରାମବାସୀ ତାଙ୍କୁ ସେଠାରୁ ଘୋଷାରି ଘୋଷାରି ଅତି ଅମାନୁସିକ ଭାବେ ମାଡ ମାରିବା ସହିତ ଏକ ଘରେ ତାଲା ପକାଇ ରଖିଥିଲେ ।

ପରେ ତାଙ୍କ ସ୍ତ୍ରୀ ଏଭଳି ଘଟଣା ଶୁଣିବା ପରେ ପୋଲିସ ସହାୟତାରେ ଗାଁକୁ ଯିବା ପରେ ଶହ ଶହ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଯାଇଥିବା ପୋଲିସ ଘଟଣାସ୍ଥଳରୁ ପଳାଇଆସିବା ପରେ ଶତାଧତ୍କ ଗ୍ରାମବାସୀ ଏକତ୍ରିତ ହୋଇ ଇଟାଭାଟି ମାଲିକଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅଟକ ରଖିବା ସହ ସେରଗଡ ଉଦଳା ରାଜରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ ।

ପରିସ୍ଥିତି ଅଣାୟତ ହେବା ପରେ ବାଲେଶ୍ବର ଏସ୍ପି ବି. ଯୁଗଳ କିଶୋରଙ୍କ ନିର୍ଦ୍ଦଶରେ ସଦର ଏସଡିପିଓ ସୁବାଶ ଚନ୍ଦ୍ର ପାଲ ଏବଂ ଖନ୍ତାପଡା ଆଇଆଇସି ଶ୍ରୀବଲ୍ଲବ ସାହୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଂଚିଥିଲେ ।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଗ୍ରାମବାସୀଙ୍କୁ ଲାଠି ଚାର୍ଜ କରିଥିଲା ।  ଗ୍ରାମବାସୀ ଛତ୍ରଭଙ୍ଗ ଦେବା ପରେ ଅଟକ ଇଟାଭାଟି ମାଲିକଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିବା ସହିତ ଅଟକ  ତାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ କବଳରୁ ମୁକୁଳାଇଥିଲେ।

ଏପରିକି ଜଣେ ମହିଳା ଏବଂ ଚାରିଜଣ ଯୁବକଙ୍କୁ ପୋଲିସ ଅଟକ ରଖିଥିବାବେଳେ ବେଆଇନଭାବେ ରାସ୍ତାରୋକ କରିବା ଏବଂ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିବବୋଲି ଖନ୍ତାପଡା ଆଇଆଇସି ଶ୍ରୀବଲ୍ଲବ ସାହୁ ସୂଚନା ଦେଇଛନ୍ତି । ଖୁବ ଶିଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ମଧ୍ୟ କହିଛନ୍ତି। ଅପରପକ୍ଷରେ ହତ୍ୟାକାଣ୍ଡ ସହ ଅଟକ ଯୁବକଙ୍କ କୌଣସି ନଥିବା ଇଟାଭାଟି ମାଲିକ ପ୍ରକାଶ କରିଛନ୍ତି।

ଆଜିର ଏଭଳି ଅଘଟଣ ଦିନ ୧୧ଟା ଠାରୁ ହୋଇଥିବାବଳେ ପୋଲିସ ସନ୍ଧ୍ୟା ୫ଟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

443 Views

   ସମ୍ବନ୍ଧିତ ଖବର