ରେଳ ଫାଟକରେ ଜଗୁଆଳୀ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ : ଅଟକିଲା ଟ୍ରେନ୍

Published By : Prameya-News7 Bureau | February 13, 2020 IST

ଖୋର୍ଦ୍ଧା ୧୩।୨: ଖୋର୍ଦ୍ଧା ବୋଲଗଡ ବ୍ଲକ୍ ସାନପଦରରେ ଟ୍ରେନକୁ ଅଟକାଇ ଲୋକଙ୍କ ଆନ୍ଦୋଳନ । ରେଳ ଫାଟକରେ ଜଗୁଆଳୀ ନଥିବା ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି । ତେବେ ଜଗୁଆଳୀ ନଥିବାରୁ ଲୋକେ ଲାଇନ୍ ଅତିକ୍ରମ କରୁଥିବା ଦେଖି ଚାଳକ ଟ୍ରେନକୁ ଅଟକାଇଦେଇଥିଲେ । ପରେ ଲୋକେ ରେଳ ଧାରଣାରେ ବସି କରିଥିଲେ ପ୍ରତିବାଦ । ଏହି ଘଟଣାର ତଦନ୍ତ ପାଇଁ ଗ୍ରାମବାସୀ ଟ୍ରେନକୁ ଯିବାକୁ ନଦେଇ ତଦନ୍ତ ଦାବି କରିଛନ୍ତି । ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ଥିବାବେଳେ ରେଳ କର୍ମଚାରୀ ପହଂଚି ନଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ । ଅନେକ ଜାଗାରେ ରେଳ ବିଭାଗ ପକ୍ଷରୁ ସୁରକ୍ଷା ଫାଟକ ଲଗାଯାଇ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । କିନ୍ତୁ ଗୁରୁବାର ଦିନ ସାନପଦର ରେଳ ଫାଟକରେ କୌଣସି କର୍ମଚାରୀ ନଥିବା ସମୟରେ ଖୋର୍ଦ୍ଧା ପଟୁ ଏକ ଟ୍ରେନ୍ ରାଜସୁନାଖଳାକୁ ଆସୁଥିଲା । ଏହି ସମୟରେ ରେଳ ଧାରଣା ଦେଇ ଅନେକ ଲୋକ ଯାତାୟତ କରୁଥିଲେ । ଟ୍ରେନ୍ ଚାଳକ ଟ୍ରେନକୁ ଅଟକାଇ ଦେଇ ବହୁ ଲୋକଙ୍କ ଜୀବନ ବଞ୍ଚାଇଦେଇଛନ୍ତି ।

ତେବେ ରେଳ କର୍ମଚାରୀଙ୍କ ଅବହେଳା ପ୍ରତିବାଦରେ ସ୍ଥାନୀୟଲୋକମାନେ ଉକ୍ତ ଟ୍ରେନଟିକୁ ଅଟକାଇବା ସହ ତଦନ୍ତ ଦାବି କରିଛନ୍ତି । ସେହିପରି ସାନପଦରଠାରେ ନିର୍ମାଣାଧୀନ ଓଭରବ୍ରିଜ କାମ ଶୀଘ୍ର ସରିବା ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.