ସ୍ଥାନୀୟଲୋକଙ୍କ ବିରୋଧ ପରେ ଫେରିଗଲେ ଅନୁଧ୍ୟାନକାରୀ ଟିମ୍
15/11/2019 at 11:02 AM

ସାଲେପୁର ୧୫।୧୧: ଫନି ବିପନ୍ନଙ୍କ ଘରଭଙ୍ଗା ସହାୟତା ରାଶି ପ୍ରଦାନରେ ଦୁର୍ନୀତି ଅଭିଯୋଗ ଘଟଣା । ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଟିମ୍କୁ ସ୍ଥାନୀୟଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ।

ସୂଚନାଯୋଗ୍ୟ ଯେ , କଟକ ଜିଲ୍ଲା ସାଲେପୁର ବ୍ଲକ କଟକରପା ପଞ୍ଚାୟତରେ ଫନି ବାତ୍ୟାରେ ହିତାଧିକାରୀଙ୍କ ଚୟନରେ ଦୁର୍ନୀତି ଓ ସହାୟତା ରାଶି ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଥିଲା । ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଦୁଇ ଜଣ ସହକରା ଉପ ଜିଲ୍ଲାପା ଓ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ତଦନ୍ତକାରୀ ଟିମ୍ କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟିମ୍ କଟକରପା ପଞ୍ଚାୟତକୁ ତଦନ୍ତ ପାଇଁ ଆସିଥିଲେ , କିନ୍ତୁ ତଦନ୍ତ ନିରପେକ୍ଷ ହେଉନି ଓ ଅଭିଯୋଗ ଭିତ୍ତିରେ ତଦନ୍ତ ନକରାଯାଇ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଘରେ ତଦନ୍ତ କରାଯାଉଛି ।ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ତଦନ୍ତ କାରୀ ଟିମକୁ ଅଟକାଇଥିଲେ , ଯାହାଫଳରେ କି ସ୍ଥାନୀୟଲୋକେ ଓ ଟିମ୍ ମୁହାଁମୁହିଁ ହୋଇଥିଲେ । ତଦନ୍ତକାରୀ ଟିମର ଗାଡ଼ିକୁ ରାସ୍ତା ଉପରେ ଅଟକ ରଖାଯାଇଥିଲା ଯାହାଫଳରେ ପୋଲିସ ସହାୟତାରେ ତଦନ୍ତକାରୀ ଟିମ୍ ଅନୁଧ୍ୟାନ ନକରି ଫେରିଯାଇଥିଲେ ।