ବିଦ୍ୟୁତ ଅଫିସ ସମ୍ମୁଖରେ ମୃତଦେହ ରଖି ଧାରଣା, କ୍ଷତିପୂରଣ ଦାବି ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ
14/07/2020 at 11:33 AM

ଭଦ୍ରକ ୧୪।୦୭: ବିଦ୍ୟୁତ ଖୁଣ୍ଟରେ ଚଢି କାର୍ଯ୍ୟ କରୁଥିବା ବେଳେ ଲାଇନମ୍ୟାନ୍ଙ୍କ ମୃତ୍ୟୁ ଅଭିଯୋଗ । ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଅବରୋଧ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ଗାଁର ଜ୍ଞାନଜିତ ଦାସ ନେସ୍କୋ ଯୁଟିଲିଟିର ଭଦ୍ରକ ଉପଖଣ୍ଡର ପାୱାରହାଉସ ରେ କାର୍ଯ୍ୟରତ ଥିଲେ । ଗତକାଲି ବିଳମ୍ବିତ ରାତିରେ ବର୍ଷା ପରେ ବିଦ୍ୟୁତ ସଜାଡିବା ପାଇଁ ଭଦ୍ରକ ସହରର ଟାଉନହଲ ଛକ ନିକଟରେ ବିଦ୍ୟୁତ ଖୁଣ୍ଟରେ ଚଢି କାର୍ଯ୍ୟ କରୁଥିଲେ । ତେବେ ହଠାତ୍ ସେ ତଳକୁ ପଡିଯାଇଥିଲେ ।
ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜ୍ଞାନଜିତ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଭଦ୍ରକ ନେସ୍କୋ ଅଫିସ ସମ୍ମୁଖରେ ରଖାଯାଇଛି । ଅଫିସ ସମ୍ମୁଖରେ ମୃତଦେହକୁ ରଖି ପରିବାର ଲୋକେ ଓ ଗ୍ରାମବାସୀ ଧାରଣ ଦେଇଛନ୍ତି । କ୍ଷତିପୂରଣ ଦାବି ସହ ଘଟଣାର ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି ।