ପାଚେରୀ ନିର୍ମାଣକୁ ବିରୋଧ: ଧାରଣାରେ ବସିଲେ ଗ୍ରାମବାସୀ

Published By : Prameya-News7 Bureau | January 06, 2021 IST

ଭଦ୍ରକ୬/୧:  ଭଦ୍ରକ ସାମରାଇପୁରସ୍ଥିତ ନୂତନ ମେଡିକାଲର ପାଚେରୀ ନିର୍ମାଣକୁ ବିରୋଧ କରି   ଗଣଧାରଣାରେ ବସିଲେ ଗ୍ରାମବାସୀ ଏବଂ ତାଙ୍କ ପରିବାର। ନ୍ୟାୟ ପାଇଁ ଧାରଣାରେ ବସିଲେ ଭଦ୍ରକ ସାଂସଦଙ୍କ ମାଆ ଓ ଭାଇ। ଭଦ୍ରକ ସାମରାଇପୁରସ୍ଥିତ ନୂତନ ମେଡିକାଲ ନିର୍ମାଣ ସ୍ଥାନରେ ଧାରଣାରେ ବସିଲେ ଗ୍ରାମବାସୀ। ସମରାଇପୁରରେ ଭଦ୍ରକର ନୂତନ ମେଡିକାଲ ନିର୍ମାଣ ଚାଲୁଛି।

ଏହି ମେଡିକାଲକୁ ଘେରାଉ କରିବା ପାଇଁ ଏକ ବିରାଟ ପାଚେରୀର ନିର୍ମାଣ ଚାଲିଛି। ଏହି ପାଚେରୀ ନିର୍ମାଣ ହେବା ଦ୍ୱାରା ଗେଲପୁର ପଞ୍ଚାୟତର ୪ରୁ ଊର୍ଦ୍ଧ୍ୱ ଗାଁର ଗ୍ରାମବାସୀମାନେ ହଇରାଣର ସମ୍ମୁଖୀନ ହେବେ। ସେମାନଙ୍କ ଘରବାରି ଓ ଚାଷ ଜମିକୁ ଯାତାୟାତ ପାଇଁ ରାସ୍ତା ଅବରୋଧ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ଜ଼ିଲ୍ଲା ପ୍ରଶାସନକୁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାହାର କୌଣସି ସମାଧାନର ବାଟ ବାହାରି ପାରି ନାହିଁ।

ଶେଷରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ନିଜ ନିଜର କୁନି କୁନି ପିଲାଙ୍କୁ ଧରି ଗଣଧାରଣାରେ ବସିଛନ୍ତି। ଏମିତି କି ଭଦ୍ରକ ସାଂସଦଙ୍କ ମାଆ ଓ ଭାଇ ନିଜେ ମଧ୍ୟ ଏହି ଗଣଧାରଣାରେ ସାମିଲ ହୋଇ ନ୍ୟାୟ ଚାହିଁଛନ୍ତି। ଏମିତି କି ହାତରେ କିରୋସିନ ଧରି ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଯଦି ଏହାର କୌଣସି ସମାଧାନ ନହୁଏ ତେବେ ଆଗାମୀ ଦିନରେ ବିଧାୟକଙ୍କ ଘର ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.