ଝାଡଖଣ୍ଡରୁ ନିଖୋଜ ଭିନ୍ନକ୍ଷମଙ୍କୁ ଉଦ୍ଧାର କଲେ ଗ୍ରାମବାସୀ, ପୋଲିସ ସହାୟତାରେ ଘରେ ପହଞ୍ଚାଇଲେ

Published By : Prameya-News7 Bureau | January 06, 2021 IST

ରାଇରଙ୍ଗପୁର ୦୫/୦୧: ଝାଡଖଣ୍ଡ ଅଞ୍ଚଳର ଭିନ୍ନକ୍ଷମ ବାଳକକୁ ସହାୟତା କଲେ ଗ୍ରାମବାସୀ। ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗ ସୋନାପୋଷି ଗ୍ରାମରେ ଦିଗହରା ହୋଇ ପହଞ୍ଚିଥିବା ଜନୈକ ଭିନ୍ନକ୍ଷମ ବାଳକକୁ ଗ୍ରାମର ଲୋକେ ସହାୟତା ପ୍ରଦାନ କରି ଶୀତରୁ ରକ୍ଷା ପାଇବାକୁ କମ୍ବଳ ଓ ଖାଦ୍ୟ ଯୋଗାଇବା ସହ ତାଙ୍କୁ ଆଶ୍ରୟ ଦେଇଥିଲେ।  ତିରିଂ ଥାନାକୁ ଖବର ଦେଇ  ତାଙ୍କ ପରିଜନଙ୍କ ସହିତ ଯୋଗାଯୋଗ କରିବାରେ ସହଯୋଗ କରିବାକୁ ଜଣାଇଥିଲେ।

ଉକ୍ତ ବାଳକଟି ତାଙ୍କ ବଡଭାଇଙ୍କ ସହିତ ଝାଡଖଣ୍ଡ ସୀମାନ୍ତ ହଳଦୀପୋଖରୀ ସାପ୍ତାହିକ ହାଟକୁ ଯାଇଥିଲେ। ତେବେ ବାଳକଟି ଭିଡରେ ବଡଭାଇଙ୍କ ହାତରୁ ଖସି ଯାଇଥିଲା। ସେ ବାଟବଣା ହୋଇ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଘୁରି ବୁଲୁଥିଲା। ଗତକାଲି ସଂଧ୍ୟା ସମୟରେ ସୋନାପୋଷି ଗ୍ରାମକୁ ପହଞ୍ଚିଲା ବେଳେ ତାଙ୍କୁ ଦେଖି ପୂର୍ବତନ ବଡପଳସା ସମିତି ସଭ୍ୟ ଶିବଚରଣ ସାହୁ ପଚରା ଉଚରା କରିଥିଲେ ଏବଂ ଆଶ୍ରୟ ଦେବା ସହ ତିରିଂ ଥାନା ରେ ସୂଚନା ଦେଇଥିଲେ।

ପରେ ତିରିଂ ଥାନା ପୋଲିସ ଝାଡଖଣ୍ଡ ଅଞ୍ଚଳର ପୋଟକା ଥାନା ଓ କୁଆଳି ଥାନାରେ ଯୋଗାଯୋଗ କରିଥିଲେ। ଯୁବକଟି କୁଆଳି ଥାନା ଅଞ୍ଚଳର ଉଦାଳା ଗ୍ରାମର ବୋଲି ଜଣାପଡିଥିଲା। ଉକ୍ତ ଦିଗହରା ଭିନ୍ନକ୍ଷମ ବାଳକଟି ନିଜ ନାମ ଶିବାନାଥ ସର୍ଦ୍ଧାର ବୋଲି ପ୍ରକାଶ କରିଥିଲାବେଳେ ସେ ବାପ ମାଆ ଛେଉଣ୍ଡ ହୋଇଥିବା ଓ ଦୁଇଜଣ ବଡଭାଇ ଅଭିନାଥ ସର୍ଦ୍ଧାର ଓ ରବିନାଥ ସର୍ଦ୍ଧାର ତଥା ଭଉଣୀ ନିରଲା ସର୍ଦ୍ଧାରଙ୍କ  ସହିତ ରହୁଥିବା ପ୍ରକାଶ କରିଥିଲା। ତେବେ ତିରିଂ ଥାନା ଅଧୀକାରୀଙ୍କ ନିର୍ଦ୍ଦେଶ କ୍ରମେ ତିରିଂ ଥାନା ପୋଲିସ୍‌ର ଏକ ଦଳ ଉକ୍ତ ବାଳକକୁ ନେଇ କୁଆଳି ଥାନା ପୋଲିସ ସହାୟତାରେ ତାଙ୍କ ଘରେ ଛାଡିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.