ରୋଗୀ ସେବା ବିପର୍ଯ୍ୟସ୍ତ, ନାହାନ୍ତି ଡାକ୍ତର : ତାତିଲେ ଲୋକେ, ସଡିଏମଓଙ୍କୁ ପକାଇଲେ ତାଲା

Published By : Prameya-News7 Bureau | April 22, 2021 IST

ଉଦଳା ୨୨।୪: ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ ଏବଂ ଡାକ୍ତର ଅଭାବକୁ ନେଇ ତାତିଛନ୍ତି ଲୋକେ । ଯାହାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖାଯିବା ସହ ଏସଡିଏମଓଙ୍କୁ ତାଲା ପକାଇଛନ୍ତି ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର  ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଏହି ଡାକ୍ତରଖାନାରେ କୌଣସି ଡାକ୍ତର ନିର୍ଦ୍ଧାରିତ ସମୟରେ ଆସୁନାହାନ୍ତି, ଯାହା ଦ୍ବାରା ରୋଗୀମାନେ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଗୁରୁବାର ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା ହୋଇ ନ ପାରିବାରୁ ଗ୍ରାମବାସୀମାନେ ମେଡିକାଲ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ନିୟମିତ ଡାକ୍ତର ନିଯୁକ୍ତି ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର ହେବ ବୋଲି ଗ୍ରାମବାସୀ କହିଛନ୍ତି । ଘଟଣାର ସମାଧାନ ପାଇଁ ଆସିଥିବା ମେଡିକାଲ ଇନଚାର୍ଜଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିଲେ । କପ୍ତିପଦା ଉପଖଣ୍ଡ ଚିକତ୍ସା ଅଧିକାରୀ ଶିବାନନ୍ଦ ମହାନ୍ତି ବୁଝାସୁଝା କରିବା ପାଇଁ ଯାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଅଫିସ ରୁମରେ ତାଲା ପକାଇ ଦେଇଛନ୍ତି । ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଶତାଧିକ ଗ୍ରାମବାସୀ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.