ଦୁଷ୍କର୍ମ ପୀଡିତା ନାବାଳିକା ହେଲା ମାଆ ; ଗାଁ ଲୋକେ କଲେ ବାସନ୍ଦ, ପୋଖରୀ ତୁଠ ମନା

Published By : Prameya-News7 Bureau | January 16, 2020 IST

କେନ୍ଦୁଝର ୧୬।୧: ଜଣେ ଦିଷ୍କର୍ମ ପୀଡିତାଙ୍କୁ ନ୍ୟାୟ ବଦଳରେ ଅକଥ୍ୟ ଯନ୍ତ୍ରଣା । ସଂପର୍କୀୟ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା । ଏବେ ସେ ନାବାଳିକା ମା । କିନ୍ତୁ ଏଥିପାଇଁ କେବଳ ସେ ନୁହେଁ ସାରା ପରିବାର ଭୋଗୁଛନ୍ତି ଯନ୍ତ୍ରଣା ଓ ଦଣ୍ଡ । ଗାଁ ଲୋକେ ନିଆଁ ପାଣି ବାସନ୍ଦ କରିଛନ୍ତି ଏପରିକି ଡାକ୍ତରଖାନାରୁ ଫେରିବା ପରେ ନାବାଳିକାଙ୍କ ଉପରକୁ ଟେକା ପଥର ମାଡ କରିଛନ୍ତି ଦୁଷ୍କର୍ମକାରୀର ପରିବାର । ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ ଯେ, ୧୦ ମାସ ତଳେ ସଂପର୍କୀୟଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା । ନାବାଳିକା ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଛେଳି ଚରାଇବାକୁ ଯିବାବେଳେ ସଂପର୍କୀୟ ଭାଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ଏକଥା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ନାବାଳିକା ଜଣଙ୍କ ଘରକୁ ଫେରି କାହାରିକୁ କିଛି ଜଣାଇନଥିଲେ ।

ଘଟଣାର ୪ ମାସ ପରେ ଶରୀରରେ ଅସ୍ବାଭାବିକ ପରିବର୍ତ୍ତନ ଦେଖା ଦେବାରୁ ନାବାଳିକାଙ୍କ ମା’ ଏ ସମ୍ବନ୍ଧରେ ପଚାରିଥିଲେ । ପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଘଟଗାଁ ଥାନାରେ ଲିଖିତ ଏତଲା ଦେଇଥିଲେ ନାବାଳିକାଙ୍କ ପରିବାରଲୋକ । ଏତଲା ଆଧାରରେ ଘଟଗାଁ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ରାଉରକେଲା ସ୍ଥିତ ବାଳାଶ୍ରମକୁ ପଠାଇଥିଲା ।

ନାବାଳିକା ଜଣଙ୍କ ସନ୍ତାନ ଜନ୍ମ ଦେବା ପରେ ତାଙ୍କ ପରିବାରକୁ ଗାଁଲୋକ ନିଆଁପାଣି ବାସନ୍ଦ କରିଛନ୍ତି । ଅଭିଯୁକ୍ତର ପରିବାର ନାବାଳିକାଙ୍କୁ ଅକଥନୀୟ ମାନସିକ ନିର୍ଯାତନା ଦେଉଛନ୍ତି । ଏପରିକି ଅଭିଯୁକ୍ତର ପରିବାରଲୋକ ତାଙ୍କୁ ଟେକା, ପଥର ମାଡ କରିଛନ୍ତି । ସନ୍ତାନକୁ ମାରି ନଦେଇ କାହିଁକି ଗାଁକୁ ଆଣିଲୁ ବୋଲି କହିବା ସହିତ ନାବାଳିକାଙ୍କ ଉପରକୁ ଅଭିଯୁକ୍ତର ମା’ ଟେକା ପଥର ଫିଙ୍ଗିଥିବାବେଳେ ତାଙ୍କୁ ଗାଁ ପୋଖରୀରେ ଗାଧୋଇବା ପାଇଁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.