ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି : ପଥର ଖାଦାନ ଲିଜ୍ ଯୋଜନାକୁ କାଠଗୋଛି ଗ୍ରାମବାସୀଙ୍କ ବିରୋଧ

Published By : Prameya-News7 Bureau | February 06, 2019 IST

ନୀଳଗିରି ୬|୨: ବାଲେଶ୍ବର ଜିଲ୍ଲା ପ୍ରଶାସନର ପଥର ଖାଦାନ ଲିଜ୍‌ ଯୋଜନାକୁ ବିରୋଧ କରୁଛନ୍ତି କାଠଗୋଛି ଗାଁ ଲୋକେ । ପଥର ଖାଦାନ ପାଇଁ ଅନୁମତି ଦେଲେ ଗାଁରେ ଚାଷ ଉପରେ ତା’ର ପ୍ରଭାବ ପଡ଼ିପାରେ । ପାନୀୟ ଜଳ ସମସ୍ୟା ବଢ଼ିବ, ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଓ ଗମନାଗମନରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ସେଇ ଆଶଙ୍କାରେ ଉଠିଛି ବିରୋଧର ସ୍ବର । ହେଲେ ପଥର ମାଫିଆଙ୍କ ସ୍ବାର୍ଥକୁ ନଜରରେ ରଖି ଜିଲ୍ଲାପ୍ରଶାସନ କାଠଗୋଛି ଗାଁ ଲୋକଙ୍କ ସ୍ବାର୍ଥ ଓ ସୁବିଧାକୁ ନଜର ଅନ୍ଦାଜ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

{"id":82463}

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବାଲେଶ୍ବର ନୀଳଗିରିର ଏହି କାଠଗୋଛି ଗାଁ । ଯେଉଁଠାରେ ରହିଛି ପାହାଡ଼, ଜଙ୍ଗଲ ଆଉ ବିଶାଳ ଜଳ ଭଣ୍ଡାର । ମିତ୍ରପୁର ଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଏହି ଗାଁରେ ଅଛନ୍ତି ୧୦୦ରୁ ଅଧିକ ଆଦିବାସୀ ଓ ହରିଜନ ପରିବାର । ୧୦ବର୍ଷ ତଳେ ଏଠାରେ ପଥର ଖାଦାନ ଚାଲିଥିଲା ।  ଯାହାର ପ୍ରଭାବ ଗାଁ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିଲା । ଅଂଚଳବାସୀଙ୍କ ଆନ୍ଦୋଳନ ପରେ ପଥର ଖାଦାନକୁ ବନ୍ଦ କରାଯାଇଥିଲା । ହେଲେ ଏବେ ପୁଣି ଥରେ କିଛି ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ଏଇ ଅଂଚଳ ଉପରେ ପଡ଼ିଛି । ଆଉ ସେମାନଙ୍କ ପ୍ରେସରରେ ଜିଲ୍ଲା ପ୍ରଶାସନ ମଧ୍ୟ ପୁଣି ଥରେ ପଥର ଖାଦାନ ପାଇଁ ଅନୁମତି ଦେବାକୁ ଅଣ୍ଟା ଭିଡ଼ିଥିବା କଥା ଶୁଣିବାକୁ ମିଳୁଛି । ଯାହାକୁ ନେଇ ବ୍ୟସ୍ତ ହୋଇପଡ଼ିଲେଣି କାଠଗୋଛି ଗାଁ ଲୋକେ । ଆଉ ପୁଣି ଥରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେଣି ।

ପଥର ଖାଦାନ ପାଇଁ ଅନୁମତି ନଦେବାକୁ ନୀଳଗିରି ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ କାଠଗୋଛି ଗାଁ ଲୋକେ । ହେଲେ ଉପଜିଲ୍ଲାପାଳ ଏଥି ପ୍ରତି ନଜର ଅନ୍ଦାଜ କରୁଥିବା ଅଭିଯୋଗ ହୋଇଛି । ସେପଟେ ଗାଁ ଲୋକଙ୍କୁ ଧମକ ଦେବା ଆରମ୍ଭ କଲେଣି ପଥର ମାଫିଆ । ପରିସ୍ଥିତି ଏମିତି ହୋଇଛି ଯେ, ଗାଁ ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ପାଇଁ ଏକ ଗଭୀର ନଳକୂପ ଖୋଳା କାମ ଚାଲିଥିବା ବେଳେ, ଖାଦାନ କଥା ଶୁଣି କାମ କରୁଥିବା କଣ୍ଟ୍ରାକ୍ଟର କାମକୁ ଅଧାପନ୍ତରିଆ ପକାଇ ଚାଲି ଯାଇଛି । ଲୋକମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।    

{"id":82464}

ଜିଲ୍ଲା ପ୍ରଶାସନ କାହା ସ୍ବାର୍ଥ ରକ୍ଷା କରିବାକୁ କାମ କରୁଛନ୍ତି । କିଛି ପଥର ମାଫିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ନା’ କାଠଗୋଛି ଗାଁ ଲୋକଙ୍କ ସ୍ବାର୍ଥ ପାଇଁ ? ଯେଉଁଠି ସମୁହ ସ୍ବାର୍ଥ କଥା ଆସୁଛି ସେଠି କିଛି କିଛି ମାଫିଆଙ୍କ ପାଇଁ କାଠଗୋଛି ଗାଁ ଲୋକଙ୍କୁ ଅଣଦେଖା କରାଯାଇପାରିବ ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.