ଥାନା ସମ୍ମୁଖରେ ଦ୍ବିତୀୟ ଦିନରେ ଆମରଣ ଅନଶନ, ଅଭିଯୁକ୍ତଙ୍କୁ ଗିରଫ ଦାବି
8/01/2020 at 12:29 PM

ଡେଲାଙ୍ଗ ୮।୧: ଡେଲାଙ୍ଗ ଥାନା ସମ୍ମୁଖରେ ଆମରଣ ଅନଶନ ଆଜି ପହଁଞ୍ଚିଛି ଦୁଇ ଦିନରେ। ଶୀତରେ ଥରୁଛି ସାରା ରାଜ୍ୟ କିନ୍ତୁ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଆଗରେ ସ୍ଥାନୀୟ ମାଛପଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆମରଣ ଅନଶନରେ ବସିଛନ୍ତି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଦୋଷୀଙ୍କୁ ଦଣ୍ଡ ଦେବା ବଦଳରେ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଅକ୍ଟୋବର ୧୧ ତାରିଖ ଦିନ ଦୁର୍ବୃତ୍ତମାନେ ଗାଁରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୧୪ ପରିବାର ୨୧ ବଖରା ଘର ଭସ୍ମୀଭୂତ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେଉଛି।

ଅନ୍ୟପଟେ ଏହି ଘଟଣାରେ ପୋଲିସ ଗ୍ରାମବାସୀମାନଙ୍କ ବିରେଧରେ ମିଥ୍ୟା ମୋକଦ୍ଦମା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ, ମିଥ୍ୟା ମୋକଦ୍ଦମା କରିଥିବା ଏଏସଆଇ ବ୍ରହ୍ମରବର ପାଇଟାଳଙ୍କୁ ଚାକିରୀରୁ ନିଲମ୍ବିତ ଦାବିରେ ଗ୍ରାମବାସୀମାନେ ଆମରଣ ଅନଶନ କରିଛନ୍ତି।