ହରିୟାଣାର ବିଜେପି ଓ ଜେଜେପିକୁ ସାମାଜିକ ବହିଷ୍କାର! ନେତା ଓ କର୍ମୀଙ୍କୁ ୬୦ ଗାଁ ମନା

Published By : Prameya-News7 Bureau | January 13, 2021 IST

ଚଣ୍ଡିଗଡ ୧୩।୧: ସଂଶୋଧିତ କୃଷି ଆଇନ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଲଗାତାର ୫୦ ଦିନ ଜାରି ରହିଛି। ସରକାର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରୁନି।  ଫଳରେ ଚାଷୀଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଥିବା ବେଳେ ଏହାର ପ୍ରଭାବ ରାଜ୍ୟମାନଙ୍କ ଉପରେ ପଡିବାର ଲାଗିଲାଣି। ଏହି କ୍ରମରେ ହରିୟାଣାର ୬୦ରୁ ଅଧିକ ଗାଁ ବିଜେପି ଓ ସହଯୋଗୀ ଜେଜେପିକୁ ସାମାଜିକ ବହିଷ୍କାର କରାଯାଇଥିବା ଜଣାପଡିଛି।

ଏହି ସବୁ ଗାଁକୁ ବିଜେପି ଓ ଜେଜେପିର ନେତା,କର୍ମୀଙ୍କ ପ୍ରବେଶ ନିଷେଧ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ରାଜ୍ୟର ବିଜେପି ଓ ଜେଜେପି ସମର୍ଥନ କରୁଛନ୍ତି। ଏଣୁ ଦଳର ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମୀଙ୍କୁ ହରିୟାଣାର ଗାଁ ଗାଁରେ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଗାଁ ଗାଁରେ ଖାପ୍ ପଞ୍ଚାୟତ ଅନୁଷ୍ଠିତ ହେଉଛି। ଶୀତ କାକରରେ ଚାଷୀଙ୍କ କଷ୍ଟ ଓ ଆଇନପ୍ରତି ସରକାରଙ୍କ ମନବୃତ୍ତିକୁ ନେଇ ଆଲୋଚନା ହେଉଥିବା ବେଳେ ଏପରି ପଞ୍ଚାୟତମାନେ ଗାଁ ଗାଁରେ ବିଜେପି ଓ ଜେଜପି ନେତା କର୍ମୀଙ୍କୁ ବହିଷ୍କାର କରିବାକୁ ଆହ୍ୱାନ ଦେଉଛନ୍ତି।

ପଞ୍ଚାୟତଙ୍କ ଆହ୍ୱାନ କ୍ରମେ ଅନୁନ୍ୟ ୬୦ଟି ଗାଁରେ ବିଜେପି-ଜେଜେପି ବିରୋଧ ଆରମ୍ଭ ହୋଇଯାଇଥିବା ବେଳେ ନେତା ଓ କର୍ମୀମାନେ ଏବେ ଗାଁ ଛାଡିବାରେ ଲାଗିଛନ୍ତି। ଗାଁ ଗାଁରେ ବିଜେପି ଓ ସରକାରକୁ ସହଯୋଗ କରୁଥିବା ଜେଜେପିକୁ ଲୋକେ ବାସନ୍ଦ କରୁଥିବାରୁ ଦଳୀୟ ସମର୍ଥକମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁରେ ଲୋକେ ସେମାନଙ୍କ ସହ କଥାବାର୍ତ୍ତା କରୁନଥବା ବେଳେ ପରିବାର ଲୋକଙ୍କ ସହ ମିଳାମିଶା ବନ୍ଦ କରିଦେଇଛନ୍ତି। ସେମାନଙ୍କ ଚାଷବାସ ଓ ଘର କାମରେ ସହଯୋଗ ଲାଗି ଗାଁ ଲୋକେ ଯାଉନାହାନ୍ତି ଓସାମାଜିକ  ସେବା ବନ୍ଦ ହୋଇଛି। ଏଣୁ ଦଳୀୟ କୁଜିନେତା ଏବେ ଗାଁ ଛାଡିବେ ନଚେତ ଦଳ ଛାଡିବା ଅବସ୍ଥାକୁ ଆସିଯିବା ଉଭୟ ଦଳଙ୍କ ଲାଗି ନୂଆ ସମସ୍ୟା ସୃଷ୍ଟି କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.