ପୁଣି ତାତିଲେ ବିଚ୍ଛିନ୍ନାଞ୍ଚଳବାସିନ୍ଦା, ସୁରକ୍ଷାବାହିନୀ କ୍ୟାମ୍ପ୍ ହଟାଇବାକୁ ଦେଲେ ଚେତାବନୀ
18/12/2019 at 8:33 AM

ଚିତ୍ରକୋଣ୍ଡା ୧୮।୧୨: ପୁଣି ତେଜିଲା ବିଚ୍ଛିନ୍ନାଞ୍ଚଳ ଲାଲଗଡର ଆଦିବାସୀ ବିକାଶମଞ୍ଚର ଅନ୍ଦୋଳନ । ପୂର୍ବରୁ ଦିଆଯାଇଥିବା ୩୧ ଦଫା ପୂରଣ ନହେବା ପର୍ଯ୍ୟନ୍ତ ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷାବାହିନୀ କ୍ୟାମ୍ପ୍ କରିପାରିବେନାହିଁ । ହନ୍ତାଳଗୁଡାଠାରେ ୧୩ ତାରିଖ ଦିନ ସ୍ଥାପିତ ହୋଇଥିବା ନୂତନ ବିଏସଏଫ କ୍ୟାମ୍ପକୁ ସେହି ସ୍ଥାନରୁ ତୁରନ୍ତ ହଟାଯାଉ ଓ ନିର୍ମାଣଧୀନ ରାସ୍ତାକାର୍ଯ୍ୟକୁ ବନ୍ଦ କରାଯାଉ। ଯଦି ସରକାର ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗକୁ ବିଚ୍ଛିନ୍ନାଞ୍ଚଳରେ କୌଣସି ପୋଲିସ କ୍ୟାମ୍ପ ରହିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଜୋଡମ୍ବଠାରୁ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ରାଲି କରି ପୋଲିସ ବିରୋଧରେ ନାରାବାଜି ଦେଇ ୧୦ କିମି ଦୂର କୁନ୍ତୁରପଦର କ୍ୟାମ୍ପଠାରେ ପହଞ୍ଚିଥିଲେ । ସେଠାରେ ଥିବା କୁନତୁରପଦର ଆଇଆରବି କ୍ୟାମ୍ପର ଏସଆଇଙ୍କୁ ଭେଟି ବିଚ୍ଛିନ୍ନାଞ୍ଚଳ ଆଦିବାସୀ ବିକାଶମଞ୍ଚ ତରଫରୁ ଏକ ସ୍ମାରକ ପତ୍ର ଦେଇଥିଲେ । ଯେଉଁଥିରେ ଲେଖା ହୋଇଥିଲା ନିରୀହ ଆଦିବାସୀଙ୍କ ପ୍ରତି ପୋଲିସ ଜୁଲମ ବନ୍ଦ କରାଯାଉ, ସାଧାରଣ ଲୋକଙ୍କୁ ନକ୍ସଲ କହି ତାଙ୍କୁ ଗିରଫ କରିବା ବନ୍ଦ କରାଯାଉ, ଏହି ଅଞ୍ଚଳରେ ଥିବା ସମସ୍ତ ସମସ୍ୟାର ସମାଧାନ କରାଯାଉ, ସରକାରଙ୍କ ସମସ୍ତ ମୌଳିକ ସୁବିଧା ଦିଆଯାଉ, ସ୍ବାସ୍ଥ୍ୟ, ଶିକ୍ଷାର ବିକାଶ କରାଯାଉ, ତେବେ ଯାଇ ଏଠାରେ କ୍ୟାମ୍ପ ଓ ରାସ୍ତାଘାଟ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଯଦି ସରକାର କିଛି ସମାଧାନ କରୁନାହାନ୍ତି ତେବେ କୁନ୍ତୁରପଦରଠାରେ ଥିବା ଆଇଆରବି ବାଟାଲିୟନକୁ ମଧ୍ୟ ଉଠାଯାଉ ।